ବିଗତ କିଛି ଦିନରୁ ଲଗାଣ ବର୍ଷା ମୟୂରଭଞ୍ଜ ପାଇଁ କାଳ ସାଜିଛି । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ତେପନ (୫୩) ବର୍ଷିୟା ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା। ପ୍ରାପ୍ତ ସୂଚନା ଅନୁସାରେ, ମଙ୍ଗଳବାର ରାତ୍ରୀ ଭୋଜନ ସାରି ଭଗବାନ ଓ ତାଙ୍କ ସ୍ତ୍ରୀ ଶୈଳ ଘର ବାରଣ୍ଡାରେ ଥିବା ଦୋକାନ ନିକଟରେ ଶୋଇଥିଲେ। ମଧ୍ୟରାତ୍ରିରେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ପାଖ କାନ୍ଥ ହଠାତ୍ ଭୁଶୁଡ଼ି ଉଭୟଙ୍କ ଉପରେ ପଡ଼ିଥିଲା।