ବାରିପଦା: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କଂଗ୍ରେସ ସେବା ଦଳ ପକ୍ଷରୁ ବାରିପଦା ସହର ସ୍ଥିତ ଷ୍ଟାଡିୟମ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉର୍ଜା ଭରିଥିବା ଦେଖିବାକୁ ମିଳିଛି।
ଏହି ରକ୍ତଦାନ ଶିବିରର ନେତୃତ୍ୱ ମୟୂରଭଞ୍ଜ କଂଗ୍ରେସର ନେତା ଅରବିନ୍ଦ ଦାସ ନେଇଥିବାବେଳେ, ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ସୁଭେନ୍ଦୁ ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବାରିପଦା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ଏବଂ ଯୁବ କଂଗ୍ରେସର ପ୍ରାୟ ସମସ୍ତ ପ୍ରମୁଖ ନେତୃବୃନ୍ଦ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିଥିଲେ। ସମାଜସେବା ଏବଂ ଜନକଲ୍ୟାଣ ମାଧ୍ୟମରେ ଦଳକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ଏହି ଅବସରରେ ନେତାମାନେ ମତ ପ୍ରକାଶ କରିଥିଲେ।