ଧର୍ମଗଡ଼ ସହରରେ କଡ଼ା ଆଇନଶୃଙ୍ଖଳା ଦାବି, ୫ ଦଫା ଦାବିପତ୍ର ଦେଲା ଚେମ୍ବର ଅଫ୍ କମର୍ସ: ଧର୍ମଗଡ଼
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସହ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧର୍ମଗଡ଼ ସହରରେ ବଢ଼ୁଥିବା ଜନଗହଳିକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦାବି କରିଛି ଧର୍ମଗଡ଼ ଚେମ୍ବର ଅଫ୍ କମର୍ସ। ଏନେଇ ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଅଡେପୁଙ୍କୁ ଭେଟି ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଗଣେଶ ପୂଜା ଓ ନୂଆଖାଇ ପାଇଁ ଧର୍ମଗଡ଼ ସହରରେ ଏବେଠାରୁ ଜନଗହଳି ବଢ଼ିଛି। ଆଗକୁ ଦଶହରା ଭଳି ବଡ଼ ପର୍ବ ଥିବାରୁ ଏହି ସମୟରେ ସହରର ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବ୍ୟବସାୟୀ ସଂଘ ଗୁରୁତ୍ୱ ଦେଇଛି।
ଦାବିପତ୍ରରେ ସହରର ପ୍ରମୁଖ ଛକଗୁଡ଼ିକରେ ପୋଲିସ ପହରା ବଢ଼ାଇବା, ଟ୍ରାଫିକ୍ ନିୟନ୍ତ୍ରଣକୁ କଡ଼ାକଡ଼ି କରିବା ସହ ଯାନବାହନ ଚୋରି ଓ ପକେଟମାର ଭଳି ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ସେହିପରି ପ୍ରମୁଖ ଛକଗୁଡ଼ିକରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ନିୟମିତ ଯାଞ୍ଚ କରି ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ମଧ୍ୟ ଦାବି ହୋଇଛି।
ସହର ମଧ୍ୟରେ ଅସ୍ଥାୟୀ ଭାବେ ଦୋକାନ କରୁଥିବା ବ୍ୟବସାୟୀ ଏବଂ ମୋଟରସାଇକେଲରେ ବୁଲି ବ୍ୟବସାୟ କରୁଥିବା ବୁଲା ବେପାରୀଙ୍କ ପରିଚୟ ଯାଞ୍ଚ କରି ସେମାନଙ୍କର ତଥ୍ୟ ସଂରକ୍ଷଣ କରିବାକୁ ମଧ୍ୟ ଦାବି କରାଯାଇଛି।
ଏଥିସହ ଧର୍ମଗଡ଼ର ପୁରୁଣା ଥାନା କୋଠାକୁ ଟାଉନ୍ ଥାନା କିମ୍ବା ପୋଲିସ ଫାଣ୍ଡିରେ ପରିଣତ କରି ସେଠାରେ ଜଣେ ଅଧିକାରୀଙ୍କୁ ନିୟୋଜିତ କରି ସହର ଓ ବସ୍ତିବାସିନ୍ଦାଙ୍କ ଅଭିଯୋଗ ଗ୍ରହଣ ଏବଂ ତୁରନ୍ତ ପୋଲିସ ସେବା ଯୋଗାଇବାକୁ ଦାବି ହୋଇଛି। ପାର୍ବଣ ଋତୁରେ ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ ନିୟନ୍ତ୍ରଣ ଲଗାଇବା ସହ ପୋଲିସ-ପବ୍ଲିକ୍ ବୈଠକ ନିୟମିତ ଆୟୋଜନ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି।
ଦାବିପତ୍ର ପ୍ରଦାନ ସମୟରେ ବ୍ୟବସାୟୀ ସଂଘର ସମ୍ପାଦକ ଅରୁଣ କୁମାର ତାୟଲ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ବୈଦ୍ୟନାଥ ବେହେରା, ଶ୍ରବଣ କୁମାର ଅଗ୍ରୱାଲ, ସରୋଜ କୁମାର ସାହୁ, ହରେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ (କବିରାଜ ଦୁର୍ଗା)