ଭୁବନେଶ୍ୱର, ବୁଧବାର: ଅନଲାଇନ୍ ଚାଳକଙ୍କ ଆନ୍ଦୋଳନକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଅଞ୍ଚଳରେ ବୁଧବାର ଉତ୍ତେଜନା ସୃଷ୍ଟି ହୋଇଛି। ଆନ୍ଦୋଳନର ତୃତୀୟ ଦିନରେ ଓଲା, ଉବେର, ରାପିଡୋ ସମେତ ବିଭିନ୍ନ ଆପ୍ଭିତ୍ତିକ ଅଟୋ, ବାଇକ୍ ଓ କ୍ୟାବ୍ ଚାଳକ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ। ଚାଳକଙ୍କ ସଂଖ୍ୟା ପ୍ରାୟ ୨ ହଜାର ଥିବା ଜଣାପଡ଼ିଛି।
ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତାରେ ଗାଡ଼ି ରଖି ଧାରଣା ଦେବାରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସମେତ ଆଖପାଖ ଅଞ୍ଚଳରେ ଗାଡ଼ି ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତା ଖାଲି କରିବାକୁ ବୁଝାଇଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା। ପରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।
ପୋଲିସ ଉପରକୁ ପଥର ମାଡ଼, ଭାଙ୍ଗିଲା ‘ଆମ ବସ୍’
ଉତ୍ତେଜନା ମଧ୍ୟରେ କେତେକ ଆନ୍ଦୋଳନକାରୀ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ‘ଆମ ବସ୍’ର କାଚ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା।
ପଥର ମାଡ଼ରେ କ୍ୟାପିଟାଲ ଥାନା ଅଧିକାରୀ ରାଧାକାନ୍ତ ସାହୁ, ହୋମଗାର୍ଡ ତ୍ରୈଲୋକ୍ୟ କୁମାର ସାହୁଙ୍କ ସମେତ ୫ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଲାଠିଚାର୍ଜରେ କିଛି ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଥିବା କୁହାଯାଇଛି।
ରେଳ ଷ୍ଟେସନ୍ରୁ ଏୟାରପୋର୍ଟ ଯାଏଁ ଜାମ୍
ଆନ୍ଦୋଳନର ପ୍ରଭାବରେ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଏୟାରପୋର୍ଟ ଅଭିମୁଖୀ ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଷ୍ଟେସନ୍ ଓ ବିମାନବନ୍ଦରରୁ ଯାତାୟାତ କରୁଥିବା ଯାତ୍ରୀମାନେ ଜାମ୍ରେ ଫସି ହନ୍ତସନ୍ତ ହୋଇଥିଲେ। ଅନେକ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ଚାଲିଚାଲି ଯିବାକୁ ପଡ଼ିଥିଲା।
ଜଣେ ଯାତ୍ରୀ କହିଛନ୍ତି, ଜାମ୍ ଯୋଗୁଁ ପ୍ରାୟ ଦେଢ଼ କିଲୋମିଟର ଚାଲି ଆସିବାକୁ ପଡ଼ିଛି। ଟ୍ରେନ୍ର ସମୟ ହୋଇଯାଇଥିବା ବେଳେ ଅଟୋ ଓ ଟାଉନ୍ ବସ୍ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିବା ସେ କହିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ରାସ୍ତାରେ ଅଟକିଥିବା କେତେକ ଗାଡ଼ିକୁ କ୍ରେନ୍ ଯୋଗେ ହଟାଇଥିଲା। ଏଥିସହ ଅନେକ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିଲା।
ଆନ୍ଦୋଳନକାରୀଙ୍କୁ ଡିସିପିଙ୍କ ଚେତାବନୀ
ଅନଲାଇନ୍ ଚାଳକଙ୍କ ଆନ୍ଦୋଳନକୁ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ, ଆନ୍ଦୋଳନ ପାଇଁ ଚାଳକମାନଙ୍କୁ ଗୋଟିଏ ଦିନର ଅନୁମତି ଦିଆଯାଇଥିଲା। ମାତ୍ର ଆଜି ଜାଣିଶୁଣି ରାସ୍ତା ଅବରୋଧ କରି ଲୋକଙ୍କୁ ଅସୁବିଧାରେ ପକାଯାଇଥିବା ସେ କହିଛନ୍ତି।
ଭଙ୍ଗାରୁଜା ଓ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ ୫୦ରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି। ଘଟଣା ସମ୍ପର୍କରେ ଥାନାରେ ଏତଲା ଦାୟର କରାଯାଇ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
‘ଦାବି ପୂରଣ ନହେବାରୁ ରାସ୍ତାକୁ ଓହ୍ଲାଇଛୁ’
ଅନ୍ୟପକ୍ଷରେ ଆନ୍ଦୋଳନକାରୀ ଚାଳକମାନେ କହିଛନ୍ତି ଯେ, ସେମାନେ ସରକାରଙ୍କୁ ତିନି ଦିନ ସମୟ ଦେଇଥିଲେ। ହେଲେ ଦାବି ପୂରଣ ଦିଗରେ କୌଣସି ହସ୍ତକ୍ଷେପ ନହେବାରୁ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଯାତ୍ରୀ କିମ୍ବା ଅନ୍ୟ ଚାଳକଙ୍କୁ ଅସୁବିଧାରେ ପକାଇବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।
ଚାଳକଙ୍କ ପ୍ରମୁଖ ଦାବି
ଆନ୍ଦୋଳନକାରୀମାନେ ଓଲା, ଉବେର, ରାପିଡୋ, ଓଡ଼ିଶା ଯାତ୍ରୀ ଆଦି ରାଇଡ୍-ହେଲିଂ ପ୍ଲାଟଫର୍ମ ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ଆଞ୍ଚଳିକ କାର୍ଯ୍ୟାଳୟ ଓ ୨୪ ଘଣ୍ଟିଆ ହେଲ୍ପଡେସ୍କ ସେବା ଦାବି କରିଛନ୍ତି। ଏହାସହ ବ୍ଲକ୍ ହୋଇଥିବା ଡ୍ରାଇଭର ଆକାଉଣ୍ଟର ତୁରନ୍ତ ଯାଞ୍ଚ, ରେଳ ଷ୍ଟେସନ୍ ଓ ବିମାନବନ୍ଦର ଭଳି ସ୍ଥାନରେ ନିୟମିତ ଚାଳକଙ୍କୁ ପ୍ରାଥମିକତା ଏବଂ ଆପ୍ରେ ବୁକିଂ ଅନୁରୋଧ ଅତି କମ୍ରେ ୧୫ ସେକେଣ୍ଡ ଦେଖାଯିବା ଭଳି ଦାବି ରହିଛି। ତତ୍ ସହିତ୭ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ବୈଧ ସରକାରୀ ଫିଟନେସ୍ ସାର୍ଟିଫିକେଟ୍ ଥିଲେ ପୁନର୍ବାର ସେବାରେ ନିୟୋଜିତ କରିବାକୁ ମଧ୍ୟ ଚାଳକମାନେ ଦାବି କରିଛନ୍ତି।
ବାଇକ୍ ଟ୍ୟାକ୍ସି ଚାଳକଙ୍କ ଦାବି
ବାଇକ୍ ଟ୍ୟାକ୍ସି ପାଇଁ ପ୍ରତି ରାଇଡ୍ର ସର୍ବନିମ୍ନ ଭଡ଼ା ୧୫୯ ଟଙ୍କା, ଦିନରେ କିଲୋମିଟର ପିଛା ୧୧୨ ଟଙ୍କା ଓ ରାତିରେ ୧୧୫ ଟଙ୍କା ଭଡ଼ା ସ୍ଥିର କରିବାକୁ ଦାବି ହୋଇଛି। ଏହାସହ ଫୁଲ୍ଟାଇମ୍ ଡ୍ରାଇଭର ପ୍ରୋତ୍ସାହନ ନୀତି, ଇନ୍ଧନ ଦର ବୃଦ୍ଧି ସହ ଭଡ଼ାର ସ୍ୱୟଂଚାଳିତ ସମନ୍ୱୟ, ଦୈନିକ/ସାପ୍ତାହିକ/ମାସିକ ପ୍ରୋତ୍ସାହନ ଏବଂ ପିକ୍ଆୱାର୍, ପର୍ବପର୍ବାଣୀ ଓ ସପ୍ତାହାନ୍ତ ବୋନସ୍ ଦାବି କରାଯାଇଛି।
ଦୀର୍ଘ ପିକ୍ଅପ୍ ଦୂରତା ପାଇଁ କ୍ଷତିପୂରଣ, ଅତିରିକ୍ତ ଅପେକ୍ଷା ଶୁଳ୍କ ଓ ଡ୍ରାଇଭର ପିକ୍ଅପ୍ ପଏଣ୍ଟରେ ପହଞ୍ଚିବା ପରେ ଗ୍ରାହକ ରାଇଡ୍ ବାତିଲ କଲେ ଅଧିକ କ୍ୟାନସେଲେସନ୍ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି ରହିଛି।
ଅଟୋ ଚାଳକଙ୍କ ଦାବି
ଅଟୋ ଚାଳକମାନେ ପିକ୍ଅପ୍ ସ୍ଥାନରେ ଗ୍ରାହକଙ୍କ ପାଇଁ ୩ ମିନିଟ୍ରୁ ଅଧିକ ଅପେକ୍ଷା କଲେ ପ୍ରତି ମିନିଟ୍କୁ ୨ ଟଙ୍କା ଅପେକ୍ଷା ଶୁଳ୍କ ଦେବାକୁ ଦାବି କରିଛନ୍ତି। ଯାତ୍ରା ସମୟରେ ଗ୍ରାହକଙ୍କ କାର୍ଯ୍ୟ ପାଇଁ ଅଟୋ ୩ ମିନିଟ୍ରୁ ଅଧିକ ସମୟ ଅଟକିଲେ ମଧ୍ୟ ଏହି ହାରରେ ଶୁଳ୍କ ପ୍ରଦାନ, ଅତିରିକ୍ତ ଯାତ୍ରୀ ପାଇଁ ଅତିରିକ୍ତ ଚାର୍ଜ ଏବଂ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ରାତ୍ରିକାଳୀନ ସର୍ଚାର୍ଜ ଲାଗୁ କରିବାକୁ ଦାବି ହୋଇଛି।
ଗ୍ରାହକ ବୁକିଂ ବାତିଲ କଲେ ଚାଳକଙ୍କୁ ସର୍ବନିମ୍ନ ୫୦ ଟଙ୍କା କ୍ୟାନସେଲେସନ୍ ଫି ପ୍ରଦାନ କରିବାକୁ ମଧ୍ୟ ଦାବି ରହିଛି।
ଆନ୍ଦୋଳନକୁ ନେଇ ରାଜଧାନୀର ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଏବେ ପୋଲିସ ପକ୍ଷରୁ ଆଇନଗତ ପଦକ୍ଷେପ ଏବଂ ଚାଳକଙ୍କ ଦାବି ଉପରେ ପରବର୍ତ୍ତୀ ପଦକ୍ଷେପକୁ ନେଇ ନଜର ରହିଛି।ପୋଲିସ-ଅନଲାଇନ୍ ଚାଳକ ଧସ୍ତାଧସ୍ତି, ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ବ ‘ଆମ ବସ୍’ କ୍ଷତିଗ୍ରସ୍ତ ||
ରିପୋର୍ଟ : ଦିଲ୍ଲୀପ ଚୌଧୁରୀ