ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ଯୁବ ସାମ୍ବାଦିକ,ରିତେଶ କୁମାର ମୁଣ୍ଡ |
କଳାହାଣ୍ଡି / କୋକସରା: ମାନବିକତାର ପରିଚୟ ଦେଇ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ରକ୍ଷାରେ ସହାୟତା କରିଛନ୍ତି ଯୁବ ସାମ୍ବାଦିକ ରିତେଶ କୁମାର ମୁଣ୍ଡ। ତାଙ୍କର ଏହି ମହତ୍ ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡ଼ା ଗ୍ରାମର ଓଶାବତୀ ରଣାଙ୍କୁ ଅସୁସ୍ଥତା ଯୋଗୁଁ ଜୁନାଗଡ଼ସ୍ଥିତ ଅଗ୍ରୱାଲ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ରକ୍ତ ଅଭାବ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ରକ୍ତ ଯୋଗାଡ଼ କରିବା ପାଇଁ ତାଙ୍କ ସ୍ୱାମୀ ଦିଗାମ୍ବର ରଣାଙ୍କୁ ପରାମର୍ଶ ଦେଇଥିଲେ। ଏହି ଖବର ପାଇବା ପରେ ରିତେଶ କୁମାର ମୁଣ୍ଡ ତୁରନ୍ତ ଅଗ୍ରୱାଲ ନର୍ସିଂହୋମରେ ପହଞ୍ଚି ରକ୍ତଦାନ କରିଥିଲେ। ଠିକ୍ ସମୟରେ ରକ୍ତ ମିଳିବା ଫଳରେ ମହିଳାଙ୍କ ଚିକିତ୍ସାରେ ସହାୟତା ମିଳିଥିବା ତାଙ୍କ ସ୍ୱାମୀ ପ୍ରକାଶ କରିଛନ୍ତି। ରିତେଶଙ୍କ ରକ୍ତଦାନ ଦ୍ୱାରା ମା’ ଓ ଗର୍ଭସ୍ଥ ଶିଶୁଙ୍କ ଜୀବନ ରକ୍ଷାରେ ସହାୟତା ମିଳିଥିବା ସେ କହିଛନ୍ତି। ରିତେଶ କୁମାର ମୁଣ୍ଡ କୋକସରା ବ୍ଲକ କାଉଡୋଳା ଗ୍ରାମର ବିଜୟ କୁମାର ମୁଣ୍ଡଙ୍କ ପୁଅ। ସେ କେବଳ ଏଥର ନୁହେଁ, ଏପର୍ଯ୍ୟନ୍ତ ୧୮ ଥର ରକ୍ତଦାନ କରି ଆବଶ୍ୟକ ସମୟରେ ଅନେକ ଲୋକଙ୍କୁ ସହାୟତା କରିଥିବା ଜଣାପଡ଼ିଛି। ତାଙ୍କର ଏହି ନିଃସ୍ୱାର୍ଥ ମାନବିକ ସେବା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।
ରିପୋର୍ଟ :- କବିରାଜ ଦୁର୍ଗା (ଖୋଲାମଞ୍ଚ ପ୍ରଜାତନ୍ତ୍ର )