ରାଜକନିକା: ବନ୍ୟା ବିଭୀଷିକା ଏବେ ରାଜକନିକା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ପ୍ରାୟ ଏକ ମାସ ଧରି ତଳିଆ ଅଞ୍ଚଳର ଲୋକେ ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବେଳେ କାହାର ଚାଷ ଉଜୁଡ଼ି ଯାଇଛି, କାହାର ଘରବାଡ଼ି ପାଣିରେ ବୁଡ଼ିଛି। ଆଉ ଅନେକ ପରିବାର ଗୃହପାଳିତ ପଶୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନାକେଦମ ହୋଇପଡ଼ିଛନ୍ତି।
ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିବା ପରେ ନଦୀକୂଳିଆ ଅଞ୍ଚଳର ସ୍ଥିତି ଆହୁରି ଗମ୍ଭୀର ହୋଇଛି। ପଙ୍କି, ଗୋପାଳପୁର, ଦୈତାରୀପୁର, କନପୁର, ମାନପୁର, ବଡ଼ହଳୁପଡ଼ା, ସାନହଳୁପଡ଼ା, ବାଲିସାହି, ଗହମପାଳ ଓ ପ୍ରଧାନପଡ଼ା ଭଳି ଅନେକ ଗାଁରେ ବନ୍ୟାଜଳ ପ୍ରବେଶ କରିବାରୁ ଗ୍ରାମବାସୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।
ସେହିପରି ଖରସ୍ରୋତା ନଦୀରେ ଦ୍ୱିତୀୟ ଥର ବନ୍ୟା ଆସିବାରୁ ଏହାର ନଦୀକୂଳିଆ ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗିନ ହୋଇଛି। ପାରିନୂଆପଡ଼ା, ହାବଳଗଣ୍ଡ ପଞ୍ଚାୟତ ଓ ବରୁଣା ଗ୍ରାମପଞ୍ଚାୟତର ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ କାଟଣାବଣିଆ, ସିକୋ, ଭାରିଗଦା ଓ ବରୁଣାଡିହା ପଞ୍ଚାୟତର ନଦୀକୂଳିଆ ଗାଁଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି।
ବନ୍ୟାଜଳ ଅନେକ ଅଞ୍ଚଳକୁ ଜଳମଗ୍ନ କରିଦେଇଥିବାରୁ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ଏକପ୍ରକାର ଧରାଶାୟୀ ହୋଇପଡ଼ିଛି। ରାସ୍ତାଘାଟ ପାଣିରେ ବୁଡ଼ିଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକେ ଘରୁ ବାହାରିବା ଏବଂ ନିତ୍ୟ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ମଧ୍ୟ ହଇରାଣ ହେଉଛନ୍ତି। ବନ୍ୟାର ପୁନରାବୃତ୍ତି ଯୋଗୁଁ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଛି। ଏକାଧିକ ଥର ବନ୍ୟା ଆସିବାରୁ ଚାଷଜମିରେ ପାଣି ଜମି ରହିଥିବା ବେଳେ ଅନେକ ଚାଷୀ ଫସଲ ନଷ୍ଟ ହେବାର ଆଶଙ୍କାରେ ରହିଛନ୍ତି। ଅନ୍ୟପଟେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଓ ଚାରାର ଅଭାବ ମଧ୍ୟ ଦେଖାଦେଇଛି। ଏହି ପରିସ୍ଥିତି ମଧ୍ୟରେ ଆଜି ଜିଲ୍ଲାପାଳ ରାଜକନିକା ବ୍ଲକର ଗଙ୍ଗାଧରପ୍ରସାଦଡିହା ଅଞ୍ଚଳ ଗସ୍ତ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି, ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି।