ବ୍ରହ୍ମପୁର : ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଡାକ ଟିକେଟ୍ ପ୍ରଦର୍ଶନୀ ‘ବ୍ରହ୍ମପେକ୍ସ-୨୦୨୬’ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀର ଆନୁଷ୍ଠାନିକ ଘୋଷଣା ମଙ୍ଗଳବାର କରାଯାଇଥିବା ବେଳେ ‘ବ୍ରହ୍ମାପେକ୍ସ-୨୦୨୬’ର ଲୋଗୋ ଓ ପ୍ରସ୍ପେକ୍ଟସ୍ ଉନ୍ମୋଚନ କରାଯାଇଥିଲା। ବ୍ରହ୍ମପୁର ରିଜିଅନ୍ର ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ ବିନୋଦ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋଗୋ ଓ ପ୍ରସ୍ପେକ୍ଟସ୍ ଉନ୍ମୋଚନ କରିଥିଲେ।
ଏହି ଅବସରରେ ‘ବ୍ରହ୍ମାପେକ୍ସ-୨୦୨୬’ର ଅଧ୍ୟକ୍ଷ ତଥା ବ୍ରହ୍ମପୁର ଡାକ ଡିଭିଜନର ବରିଷ୍ଠ ଡାକ ଅଧୀକ୍ଷକ ଶ୍ରୀ ବସନ୍ତ କୁମାର ପଣ୍ଡା, ବ୍ରହ୍ମପୁର ରିଜିଅନାଲ୍ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ଭଗବାନ ନାୟକ ଓ ଶ୍ରୀ ନିରଞ୍ଜନ ନାରାୟଣ ଶତପଥୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ଡାକ ଟିକେଟ୍ ସଂଗ୍ରାହକ ଉପସ୍ଥିତ ଥିଲେ।
କର୍ଣ୍ଣେଲ ବିନୋଦ କୁମାର ତାଙ୍କ ଅଭିଭାଷଣରେ ଏହି ପ୍ରଦର୍ଶନୀ ଡାକ ବିଭାଗର ଇତିହାସରେ ଏକ ଅନନ୍ୟ ମୁହୂର୍ତ୍ତ। କାରଣ ପ୍ରଥମ ଥର ପାଇଁ ଏକ ପ୍ରତିରକ୍ଷା ପ୍ରତିଷ୍ଠାନର ପରିସର ମଧ୍ୟରେ ଡାକ ଟିକେଟ୍ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ବିଶେଷକରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମଧ୍ୟରେ ଡାକ ଟିକେଟ୍ ସଂଗ୍ରହ ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ଡାକ ଟିକେଟ୍ ସଂଗ୍ରହ କେବଳ ଏକ ଶୌକ ନୁହେଁ, ବରଂ ଏହା ମାଧ୍ୟମରେ ଆମ ସଂସ୍କୃତି, ଇତିହାସ, ବିଜ୍ଞାନ, ପ୍ରଯୁକ୍ତି, ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିହେବ ବୋଲି ସେ ମତବ୍ୟକ୍ତ କରିଥିଲେ।