ପାରଳାଖେମୁଣ୍ଡି : ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ଅସମ୍ମାନଜନକ ମନ୍ତବ୍ୟ, ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ସଂକ୍ରାନ୍ତ ମାମଲାରେ ଗୁମ୍ମା ବ୍ଲକ୍ର ବିଡିଓ ତୁଳାରାମ ମାରାଣ୍ଡି ସୋମବାର ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଗୁମ୍ମା ଗାଁର ୬୫ ବର୍ଷୀୟ ଶ୍ରମିକ ଅଜୟ ବାଧନାୟକ ଗତବର୍ଷ ଅଗଷ୍ଟ ୧୮ ତାରିଖ ସକାଳ ପ୍ରାୟ ୧୧ଟା ସମୟରେ ନିଜ ଅଞ୍ଚଳର କିଛି ସମସ୍ୟା ନେଇ ଗୁମ୍ମା ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଡିଓ ତାଙ୍କ ବୟସ ଓ ଜାତିକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ସହ ଗାଳିଗୁଲଜ ଓ ଧମକ ଦେଇଥିବା ଏବଂ ତାଙ୍କୁ କାର୍ଯ୍ୟାଳୟରୁ ବାହାରିଯିବାକୁ କହିଥିବା ଅଜୟ ଅଭିଯୋଗ କରିଛନ୍ତି। ଘଟଣା ପରେ ଅଜୟ ପ୍ରଥମେ ସେରଙ୍ଗ ଥାନାରେ ପହଞ୍ଚିଥିଲେ। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ମାମଲା ରୁଜୁ ହୋଇନଥିଲା। ପରେ ସେ କୋର୍ଟରେ ଅଭିଯୋଗ ପିଟିସନ୍ ଦାଖଲ କରିଥିଲେ। କୋର୍ଟଙ୍କ ସମନ୍ ପରେ ବିଡିଓ ତୁଳାରାମ ମାରାଣ୍ଡି ଏସ୍.ଡି.ଜେ.ଏମ୍ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ସମୟ ମାଗିଥିବା ଜଣାପଡ଼ିଛି।
ରିପୋର୍ଟ :- ତାରିଣୀ ପ୍ରଶାଦ ପଣ୍ଡା