ରାୟରଙ୍ଗପୁର ବୃହତ ଜଳ ଯୋଗାଣ ପ୍ରକଳ୍ପରେ ଦୀର୍ଘ ବର୍ଷ ଧରି ଜଣେ କୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ନରେଶ ଚନ୍ଦ୍ର ଗିରି। ନରେଶଙ୍କ ଅଭିଯୋଗ ଅନୁଯାୟୀ, କମ୍ପାନି ତାଙ୍କୁ ୮ ଘଣ୍ଟାର ମଜୁରି ବା ଦରମା ଦେଇ ଦୈନିକ ୧୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରାଉଥିଲା। ଏପରିକି ତାଙ୍କୁ ଇପିଏଫ୍, ଇଏସଆଇ ଓ ଦରମା ରସିଦ ମଧ୍ୟ ଦିଆଯାଉ ନଥିଲା।
ଏ ବିଷୟରେ କମ୍ପାନିର ଅଧିକାରୀଙ୍କୁ ଅବଗତ କରିବା ପରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ କୌଣସି କାରଣ ନଥାଇ ହଠାତ୍ କାର୍ଯ୍ୟରୁ ଛଟେଇ କରାଯାଇଛି। ନ୍ୟାୟ ପାଇବା ଏବଂ ପୁନର୍ବାର ନିଯୁକ୍ତି ପାଇଁ ନରେଶ ଏବେ ରାୟରଙ୍ଗପୁର ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ୟପଟେ କମ୍ପାନି ପକ୍ଷରୁ ଏହି ଅଭିଯୋଗ ଖଣ୍ଡନ କରାଯାଇଛି। ନରେଶ କାର୍ଯ୍ୟରେ ବାରମ୍ବାର ଅବହେଳା କରୁଥିବାରୁ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି ବୋଲି କମ୍ପାନି ପକ୍ଷରୁ ସଫେଇ ଦିଆଯାଇଛି।