କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ତାଲିକାରେ ପୁନଃ ସାମିଲ କରିବା ଦାବିରେ ରାଇରଙ୍ଗପୁର ସହରରେ ଏକ ବିଶାଳ ଜନସଚେତନତା ମୂଳକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୬ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ମଶାଲ ଯାତ୍ରା ସ୍ଥାନୀୟ ମଠ ମନ୍ଦିର ପ୍ରାଙ୍ଗଣରୁ ବାହାରି ସହର ପରିକ୍ରମା କରିବା ସହ ରାଇରଙ୍ଗପୁର ବ୍ଲକ ପଡ଼ିଆରେ ପହଞ୍ଚି ଏକ ସଭାରେ ପରିଣତ ହୋଇଥିଲା।କୁଡ଼ୁମୀ ସେନା ସଭାପତି ଜୟମୁନି ମହାନ୍ତଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସମୁଦାୟର କର୍ମୀ ହାତରେ ଜଳନ୍ତା ମଶାଲ ଧରି ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ।
ନିଜର ଭାଷା ‘କୁଡ଼ମାଳି’, ସ୍ୱତନ୍ତ୍ର ପରମ୍ପରା ଏବଂ ପ୍ରକୃତିକେନ୍ଦ୍ରିକ ଜୀବନଶୈଳୀ ପାଇଁ କୁଡ଼ୁମୀ ଜାତି ଭାରତୀୟ ସଂସ୍କୃତିର ଏକ ପ୍ରମୁଖ ସ୍ତମ୍ଭ ଭାବେ ପରିଚିତ। ସେମାନଙ୍କର ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ସହାନୁଭୂତିର ସହ ବିଚାର କରିବାକୁ ଶୋଭାଯାତ୍ରାରେ ଦୃଢ଼ ଦାବି କରାଯାଇଛି।