କବି ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ୱର ନନ୍ଦଙ୍କୁ ଜାତୀୟ ପୁରସ୍କାର !
ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠିତ କବି କାର୍ତ୍ତିକେଶ୍ୱର ନନ୍ଦଙ୍କୁ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘India Individual Literature Excellence Award-2026’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ହ୍ୟାପି ମୁମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଭବ୍ୟ ରାଜ୍ୟସ୍ତରୀୟ ସମାରୋହରେ ଶ୍ରୀ ନନ୍ଦଙ୍କୁ ଏହି ଜାତୀୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି।
ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଓ ଉତ୍କର୍ଷ ପ୍ରଦର୍ଶନ କରୁଥିବା ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଓ ସମ୍ମାନିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶ୍ରୀ ନନ୍ଦଙ୍କୁ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲାରେ ଯୁବ ସମାଜକୁ ଏକତ୍ରିତ କରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସମାଜସେବା ଓ ଗଠନମୂଳକ କାର୍ଯ୍ୟରେ ଶ୍ରୀ ନନ୍ଦ ଦୀର୍ଘଦିନ ଧରି ସକ୍ରିୟ ଭୂମିକା ଗ୍ରହଣ କରିଆସୁଛନ୍ତି। ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ନିଃସ୍ୱାର୍ଥ ଜନସେବାକୁ ବିଚାରକୁ ନେଇ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଭୁବନେଶ୍ୱରରେ ଆୟୋଜିତ ଏହି ସ୍ୱତନ୍ତ୍ର ପୁରସ୍କାର ବିତରଣୀ ସମାରୋହରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ବୈଜ୍ଞାନିକ, ବୁଦ୍ଧିଜୀବୀ, ଚଳଚ୍ଚିତ୍ର ପ୍ରଯୋଜକ, ସଙ୍ଗୀତଜ୍ଞ, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
ଶ୍ରୀ ନନ୍ଦଙ୍କ ଏହି ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାର କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଜିକ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।