ବହୁ ଚର୍ଚ୍ଚିତ ନର୍ଲାରେ ଡକାୟତି ମାମଲା: ୭ ଅଭିଯୁକ୍ତ କୋର୍ଟ ଚାଲାଣ,୩ ଅଭିଯୁକ୍ତ ଫେରାର ||
ଭବାନୀପାଟଣାର ବ୍ୟବସାୟୀ ଘନଶ୍ୟାମ ଅଗ୍ରୱାଲଙ୍କ ଟଙ୍କା ଲୁଟ୍ ମାମଲାରେ ନର୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ବୁଧବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଗତ ଅଗଷ୍ଟ ୧୨ ତାରିଖରେ ନର୍ଲା ଥାନା ଅନ୍ତର୍ଗତ ଚିପୁଲ ନର୍ସରୀ ନିକଟରେ ଘନଶ୍ୟାମ ଅଗ୍ରୱାଲଙ୍କ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଉପେନ୍ଦ୍ର ରାଉତ ନର୍ଲା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ କେସ୍ ନମ୍ବର ୧୬୭/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କଳାହାଣ୍ଡି ପୋଲିସ ଗତ ସେପ୍ଟେମ୍ବର ୧ ତାରିଖରେ ବିଭିନ୍ନ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ଦୁଇଟି ଚାରିଚକିଆ ଗାଡ଼ି, ଦୁଇଟି ମୋଟରସାଇକେଲ, ୯ଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ୍, ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଏବଂ ୭.୬୯ ଗ୍ରାମ ସୁନା ଜବତ କରିଥିବା ସୂଚନା ଦେଇଛି।
ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠ୍ ସାମ୍ବାଦିକ ସମ୍ମିଳନୀ କରି ମାମଲା ସମ୍ପର୍କରେ ସୂଚନା ଦେବା ସହ ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଥିଲେ। ମାମଲାରେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି।