ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ମାତକମଡ଼ିହି ଗାଁରେ ଘଟିଛି ଅଘଟଣ। ଲଗାଣ ବର୍ଷାରେ ମାଟିକାନ୍ଥ ଘର ଭୁଶୁଡି ପଡିବା ଫଳରେ ଘର ଭିତରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି।
ମୃତ ମହିଳା ହେଉଛନ୍ତି ବଡ଼ଭୁଣ୍ଡୁ ଗ୍ରାମର ସିନଗୋ ମୁର୍ମୁ (୪୯) ସେ ଦୀର୍ଘଦିନ ଧରି ମାତକମଡ଼ିହି ଗାଁରେ ଥିବା ନିଜ ବାପଘରେ ରହୁଥିଲେ। ତାଙ୍କ ସ୍ବାମୀ ରାମଦାସ ମୁର୍ମୁ, ଦୁଇ ଝୀଅ ଓ ଜଣେ ପୁଅ ସହିତ ବଡଭୁଣ୍ଡୁ ଗ୍ରାମରେ ରହିଥାନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସିନଗୋ ଘରେ ଶୋଇଥିବା ବେଳେ ଭୋର ସକାଳ ୪ ଘଟିକା ପାଖାପାଖି ସମୟରେ ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ସହ ଘରର ଖପରଯୁକ୍ତ ଛାତ ହଠାତ୍ ଭୁଶୁଡି ପଡିଥିଲା। ଫଳରେ ସେ କାନ୍ଥ ଓ ଓରା କାଠ ତଳେ ଚାପି ହୋଇଯାଇଥିଲେ। ଶବ୍ଦ ଶୁଣି ଅନ୍ୟ କୋଠରୀରେ ଶୋଇଥିବା ପରିଜନ ଲୋକେ ଧାଇଁ ଆସିଥିଲେ ମଧ୍ୟ ଉଦ୍ଧାର କରି ପାରିନଥିଲେ। ଏବଂ ତିରିଂବ୍ଲକ ଅଧିକାରୀ ଓ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ
ଘଟଣା ସମ୍ପର୍କରେ ଖବର ପାଇ ତିରିଂ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ମାଟି ତଳୁ ସିନଗୋଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଛି।
ଘଟଣାସ୍ଥଳରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ଏନେଇ ତିରିଂ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
Deepak Kumar Behera