କଳାହାଣ୍ଡିରେ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା : ୧୭ ରୁ ୧୭ !!
ଭବାନୀପାଟଣା: ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା ଭବାନୀପାଟଣାସ୍ଥିତ ହୋଟେଲ ଅମରାପାଳି କ୍ଲାସିକ୍ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଏହି ଅଭିଯାନ ଆୟୋଜନ କରାଯିବ। ଅଭିଯାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ସେବା, ସଚେତନତା, ସାମାଜିକ ଓ ଜନସମ୍ପର୍କମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ।
କର୍ମଶାଳାରେ ଓଡ଼ିଶା ପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଯୋଗଦେଇ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ, ପରିଚାଳନା ଓ କାର୍ଯ୍ୟକାରୀ କରିବାର ପଦ୍ଧତି ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ।
କର୍ମଶାଳାରେ ରକ୍ତଦାନ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ, ନିଶାମୁକ୍ତି ଓ ପ୍ଲାଷ୍ଟିକ୍ମୁକ୍ତ ଅଭିଯାନ, ସ୍ୱାସ୍ଥ୍ୟ ଶିବିର, ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ, ଭାଷଣ ଓ ବିତର୍କ ପ୍ରତିଯୋଗିତା, ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱାସ୍ଥ୍ୟ ଓ ପୋଷଣ ସଚେତନତା, ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଆଦି ଆୟୋଜନ ଉପରେ ଆଲୋଚନା ହୋଇଥିଲା।
ଏଥିସହ ସରକାରୀ ଯୋଜନାରୁ ଲାଭ ପାଇଥିବା ହିତାଧିକାରୀଙ୍କ ସଫଳତା କାହାଣୀକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ବିକାଶ ଓ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବ୍ଲକ୍ସ୍ତରରେ ସେବା ଶିବିର ଆୟୋଜନ କରିବା ନେଇ ମଧ୍ୟ ଯୋଜନା କରାଯାଇଥିଲା।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ କର୍ମଶାଳାରେ ଯୋଗଦେଇ ସମାଜର ବିଭିନ୍ନ ବର୍ଗ—ହିତାଧିକାରୀ, ଯୁବକ, ଛାତ୍ରଛାତ୍ରୀ, ମହିଳା ଓ କୃଷକଙ୍କୁ ଅଭିଯାନ ସହ ଯୋଡ଼ିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଓ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା ମଧ୍ୟ ଅଭିଯାନର ସଫଳତା ନେଇ ମାର୍ଗଦର୍ଶନ କରିଥିଲେ।
ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ କହିଥିଲେ ଯେ, ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେବା ପକ୍ଷ ପାଳନ ସମୟରେ କଳାହାଣ୍ଡିରେ ୨ ହଜାରରୁ ଅଧିକ ୟୁନିଟ୍ ରକ୍ତଦାନ କରାଯାଇଥିଲା। ଚଳିତବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଥିଲେ।
ଅଭିଯାନ ମାଧ୍ୟମରେ ସେବା କାର୍ଯ୍ୟ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ସାଧାରଣ ସମ୍ପାଦକ ତଥା ‘ସେବା ସଂକଳ୍ପ ଅଭିଯାନ’ର ସଂଯୋଜକ କାର୍ଯ୍ୟକ୍ରମର ବିଷୟବସ୍ତୁ ଉପସ୍ଥାପନ କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା କର୍ମଶାଳା ପରିଚାଳନା କରିଥିଲେ। ବୈଠକରେ ରମେଶ ମାଝୀ, ମନୋଜ ମେହେର, ଅନିରୁଦ୍ଧ ପ୍ରଧାନ, ନମିତା ରାଣୀ ସାହୁ, ବିଜୟ ଦିଶାରୀ, ଅଜୟ ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
କବିରାଜ ଦୁର୍ଗା,ଭବାନୀପାଟଣା