ଓଡ଼ିଶାରେ ଫର୍ଟିଲାଇଜର୍ ଇନୋଭେସନ୍ ସେଣ୍ଟର୍ (ଏଫ୍ଆଇସି)ର ଏକ ୟୁନିଟ୍ ପ୍ରତିଷ୍ଠା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ଆଲୋଚନା ହୋଇଥିଲା।
ଆଲୋଚନା ସମୟରେ ରାଜ୍ୟରେ ରାସାୟନିକ ସାରର ବ୍ୟବହାର ହ୍ରାସ କରି ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ କୃଷି ଉତ୍ପାଦନ ବୃଦ୍ଧି, ମୃତ୍ତିକାର ଗୁଣବତ୍ତା ସୁରକ୍ଷା ଏବଂ କୃଷକମାନଙ୍କ ସମସ୍ୟାର ନିରନ୍ତର ସମାଧାନ ଦିଗରେ ପ୍ରଭାବଶାଳୀ ପଦକ୍ଷେପର ଆବଶ୍ୟକତା ଉପରେ ସେ ମତ ରଖିଥିଲେ।
ଏଫ୍ଆଇସି ପ୍ରତିନିଧିମାନେ କହିଥିଲେ ଯେ, ସାରର ଉପଯୁକ୍ତ ଓ ଯଥାଯଥ ବ୍ୟବହାର ମାଧ୍ୟମରେ ମୃତ୍ତିକାର ଗୁଣବତ୍ତା ଏବଂ ପୋଷକତତ୍ତ୍ୱ ପରିଚାଳନା ସୁନିଶ୍ଚିତ କରିବା ଉପରେ ସଂସ୍ଥା ଗୁରୁତ୍ୱ ଦେଇଥାଏ। ଓଡ଼ିଶାରେ ଏଫ୍ଆଇସିର ୟୁନିଟ୍ ପ୍ରତିଷ୍ଠା ହେଲେ ଏହା ବିଶ୍ୱର ଦ୍ୱିତୀୟ କେନ୍ଦ୍ର ହେବ ବୋଲି ପ୍ରତିନିଧିମାନେ ସୂଚନା ଦେଇଥିଲେ।
ଏହା ସହ ଓଡ଼ିଶାରେ ଏକ ଫର୍ଟିଲାଇଜର୍ ଏକାଡେମୀ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହି ଏକାଡେମୀ ପ୍ରତିଷ୍ଠା ହେଲେ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ନିରନ୍ତର କୃଷି ଅଭିବୃଦ୍ଧି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।