ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ ଶ୍ରୀ କଲାମୁଦ୍ଦିନ୍, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କର ଏବଂ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପୁଷ୍ପଗୁଚ୍ଛ ପ୍ରଦାନ କରି ନୂତନ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳଙ୍କୁ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କର ନୂତନ କାର୍ଯ୍ୟଭାର ପାଇଁ ଶୁଭେଚ୍ଛା ଜଣାଯାଇଥିଲା। ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶ୍ରୀ ବିଶ୍ୱାଳଙ୍କୁ ସ୍ୱାଗତ କରିଥିଲେ।
ଦାୟିତ୍ୱ ଗ୍ରହଣ ପରେ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ବିଭାଗୀୟ କାର୍ଯ୍ୟକୁ ଅଧିକ ସୁଚାରୁ ଓ ପ୍ରଭାବଶାଳୀ ଭାବେ ସମ୍ପାଦନ କରିବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ।
ସୂଚନାଯୋଗ୍ୟ, ଶ୍ରୀ ବିଶ୍ୱାଳ ଏହା ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ ଥିଲେ। ଓଡ଼ିଶା ରାଜ୍ୟ ପରିବହନ ନିଗମ (OSRTC), କ୍ରୁଟ୍ (CRUT) ସମେତ ବିଭିନ୍ନ ବିଭାଗରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରି ସେ ନିଜର ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଛନ୍ତି।