ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରର ବିଭିନ୍ନ ୱାର୍ଡରେ ଉନ୍ନୟନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଲୋକଙ୍କ ମୌଳିକ ସୁବିଧାକୁ ଅଗ୍ରାଧିକାର ଦେଇ ବିଭିନ୍ନ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଉଦ୍ଘାଟନ କରାଯାଇଛି।
ଏହି ଅବସରରେ କଟକ ମହାନଗର ନିଗମର ମେୟର ସୁଭାଷ ସିଂହ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷ ପ୍ରମୁଖ ଯୋଗଦେଇ ବିଭିନ୍ନ ୱାର୍ଡରେ ଚାଲିଥିବା ଓ ନୂଆକରି ଆରମ୍ଭ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।
ସହରର ରାସ୍ତାଘାଟର ଉନ୍ନତି, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ପାନୀୟଜଳ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜନସାଧାରଣଙ୍କ ଆବଶ୍ୟକତାକୁ ଆଧାର କରି ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ଅତିଥିମାନେ କହିଥିଲେ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରର ବିକାଶ ସହ ଜନସାଧାରଣଙ୍କ ଜୀବନମାନରେ ସୁଧାର ଆଣିବା ଲକ୍ଷ୍ୟରେ ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।
କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର, ମହାନଗର ନିଗମର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।