ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୨୦୨୫ ବର୍ଷ ପାଇଁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର’ ବିଭିନ୍ନ ବର୍ଗର କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକ ଓ ସାହସୀ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିଛନ୍ତି।
ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରୀଡ଼ା କେବଳ ପ୍ରତିଯୋଗିତା ନୁହେଁ, ଏହା ଯୁବସମାଜର ଶୃଙ୍ଖଳା, ନିଷ୍ଠା ଓ ଚରିତ୍ର ଗଠନର ଏକ ଶକ୍ତିଶାଳୀ ମାଧ୍ୟମ। ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶକୁ ଅନୁସରଣ କରି ଯୁବପିଢ଼ି ଦେଶ ଓ ରାଜ୍ୟ ପାଇଁ କିଛି କରିବାର ସଂକଳ୍ପ ନେବା ଆବଶ୍ୟକ।
ଚଳିତ ବର୍ଷର ଜାତୀୟ ଥିମ୍ ‘ଖେଳିବ ଭାରତ, ଜିତିବ ଭାରତ’ ଆଧାରରେ ଓଡ଼ିଶା ପାଇଁ ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ର ସଂକଳ୍ପ ନେଇ ରାଜ୍ୟକୁ ବିଶ୍ୱର କ୍ରୀଡ଼ା ରାଜଧାନୀରେ ପରିଣତ କରିବାକୁ ସରକାର ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୩୧୪ ବ୍ଲକରେ ଆଧୁନିକ ଷ୍ଟାଡିୟମ
ମୁଖ୍ୟମନ୍ତ୍ରୀ କହିଥିଲେ, ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଥିସହ ଭୁବନେଶ୍ୱର ଗୋଠପାଟଣାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍’ ସମେତ ଆଉ ୫ଟି ଆଞ୍ଚଳିକ କ୍ରୀଡ଼ା ହବ୍ ସ୍ଥାପନ କରାଯାଉଛି।
ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ‘ସିଏମ୍ ଟ୍ରଫି’ ଆୟୋଜନ କରାଯାଉଛି। ଏହାସହ ମାଓପ୍ରଭାବିତ ୧୦ଟି ଜିଲ୍ଲାର ୪୮୫ଟି ଗ୍ରାମର ଯୁବବର୍ଗଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଉଛି।
୨୦୨୮ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଓଡ଼ିଶାରେ
ଆଗାମୀ ୨୦୨୮ ଏସିଆନ୍ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ ଆୟୋଜନ କରିବାର ଐତିହାସିକ ସୁଯୋଗ ଓଡ଼ିଶା ପାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟରେ ରାଜ୍ୟର କ୍ରୀଡ଼ା କ୍ଷେତ୍ରର କାୟାକଳ୍ପ କରାଯିବ ବୋଲି ସେ କହିଥିଲେ।
ସୌମ୍ୟରଞ୍ଜନଙ୍କ ସମେତ ଦୁଇଜଣଙ୍କୁ ମରଣୋତ୍ତର ସାହସିକତା ପୁରସ୍କାର
ସମାରୋହରେ ନୟାଗଡ଼ ଜିଲ୍ଲାର ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଯାଜପୁର ଜିଲ୍ଲାର ସ୍ୱର୍ଗତ ନୀଳମାଧବ ପଣ୍ଡା ଓ ସୁନିଲ କୁମାର ରାୟଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଥିଲା।
ପ୍ରଣତି ମିଶ୍ରଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର, ଶକ୍ତି ପ୍ରସାଦ ନନ୍ଦଙ୍କୁ କ୍ରୀଡ଼ା ସାମ୍ବାଦିକତାରେ ଉତ୍କର୍ଷତା ପୁରସ୍କାର, ଲୋମା ସ୍ୱାଇଁଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପୁରସ୍କାର ପ୍ରଦାନ କରାଯାଇଥିଲା।
ସେହିପରି ଗୋପାଳ କୃଷ୍ଣ ଦାଶଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ, ସୁଚିତ୍ରା ପରିଡ଼ାଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍, ପ୍ରତୀକ ମହାରଣା ଓ ପାୟଲ ନାଗଙ୍କୁ ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍ ଏବଂ ପ୍ରବୋଧ କୁମାର ମହାନ୍ତିଙ୍କୁ ଶ୍ରେଷ୍ଠ ବୈଷୟିକ ଅଧିକାରୀ ପୁରସ୍କାର ମିଳିଥିଲା।
ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା
‘ସର୍ବୋତ୍ତମ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା’ ଭାବେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବକୁ ସମ୍ମାନିତ କରାଯାଇଥିଲା। କ୍ଲବ ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, କେବଳ ଦକ୍ଷତା ନୁହେଁ, ନିଷ୍ଠା ଓ ଶୃଙ୍ଖଳା ହିଁ ଜଣେ ସାଧାରଣ ଖେଳାଳିକୁ ମହାନ କରିଥାଏ। ପିଲାମାନେ ସ୍କ୍ରିନ୍ ଟାଇମ୍ କମାଇ ସ୍ପୋର୍ଟିଂ ଟାଇମ୍ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପାରା ତୀରନ୍ଦାଜ ପାୟଲ ନାଗଙ୍କ ସଫଳତାର ପ୍ରଶଂସା କରି କହିଥିଲେ ଯେ, ଶାରୀରିକ ସୀମାବଦ୍ଧତା ସତ୍ତ୍ୱେ ସେ କ୍ରୀଡ଼ା କ୍ଷେତ୍ରରେ ସ୍ୱର୍ଣ୍ଣ ପଦକ ହାସଲ କରି ପ୍ରେରଣାର ଉତ୍ସ ପାଲଟିଛନ୍ତି। ରାଜ୍ୟ ସରକାର ‘ଫିଟ୍ ଓଡ଼ିଶା ମିଶନ’ ମାଧ୍ୟମରେ ଗ୍ରାମପଞ୍ଚାୟତଠାରୁ ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ ଧନ୍ୟବାଦ ଅର୍ପଣ କରିଥିଲେ।