ନିଜର ପ୍ରିୟ ଶିକ୍ଷକଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଛାତ୍ରଛାତ୍ରୀ। ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ହୋଇ କାନ୍ଦି କାନ୍ଦି ବିଦ୍ୟାଳୟ ପରିସରକୁ ଭାବବିହ୍ୱଳ କରିଦେଇଥିଲେ ଛାତ୍ରଛାତ୍ରୀ। ଏପରିକି ଜଣେ ଛାତ୍ରୀ କାନ୍ଦି କାନ୍ଦି ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିବା ଜଣାପଡ଼ିଛି। ଏଭଳି ହୃଦୟସ୍ପର୍ଶୀ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଚିଞ୍ଚଳଗଡ଼ିଆସ୍ଥିତ ରଘୁନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ ପାଞ୍ଚଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଥିବା ଦର୍ଶାଇ ସେମାନଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ବଦଳି ତାଲିକାରେ ଶିକ୍ଷକ ମୃତ୍ୟୁଞ୍ଜୟ ରାଉତ, ଚିନ୍ମୟ କୁମାର ସାମଲ, ଏଲ୍ଟିଆର୍ ଶିକ୍ଷୟିତ୍ରୀ ହେମାଙ୍ଗିନୀ ମହାନ୍ତ, ମୈତ୍ରୀ ଜେନା ଓ ଦେବାଶିଷ ମହାନ୍ତଙ୍କ ନାମ ରହିଥିଲା।
ଏହାକୁ ବିରୋଧ କରି ଗତ ୨୫ ତାରିଖରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ତଥାପି ନିର୍ଦ୍ଦେଶନାମା ଅନୁଯାୟୀ ଗତକାଲି ଦୁଇଜଣ ଶିକ୍ଷକ ଅନ୍ୟ ବିଦ୍ୟାଳୟରେ ଯୋଗଦେଇଥିବା ବେଳେ ଆଜି ମୃତ୍ୟୁଞ୍ଜୟ ରାଉତ, ଚିନ୍ମୟ କୁମାର ସାମଲ ଓ ହେମାଙ୍ଗିନୀ ମହାନ୍ତଙ୍କୁ ମଧ୍ୟ ବିଦ୍ୟାଳୟ ଛାଡ଼ିବାକୁ ଛାତ୍ରଛାତ୍ରୀମାନେ ରାଜି ହୋଇନଥିଲେ।
ପରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ପଦଯାତ୍ରାରେ ରାସଗୋବିନ୍ଦପୁରସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବାକୁ ବାହାରିଥିଲେ। ଖବର ପାଇ ବିଡିଓ ଅନନ୍ତ କୁମାର ହାଁସଦା, ତହସିଲଦାର ଉପେନ୍ଦ୍ର ଦାସ ଓ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ବିଦ୍ୟାଳୟରେ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ତେବେ ଶିକ୍ଷକ ମୃତ୍ୟୁଞ୍ଜୟ ରାଉତ ବିଦ୍ୟାଳୟ ଛାଡ଼ି ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ତାଙ୍କୁ ଘେରି ଧରି କାନ୍ଦି କାନ୍ଦି ନଯିବାକୁ ଅନୁରୋଧ କରିଥିଲେ। ଶିକ୍ଷକ ରାଉତ ବିଦ୍ୟାଳୟରେ ନରହିଲେ ସେମାନେ ଉତ୍ତମ ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଛାତ୍ରଛାତ୍ରୀମାନେ କହିଥିଲେ। ସେହିପରି ଚିନ୍ମୟ କୁମାର ସାମଲ ଓ ହେମାଙ୍ଗିନୀ ମହାନ୍ତଙ୍କୁ ମଧ୍ୟ ବଦଳି ନକରିବାକୁ ଛାତ୍ରଛାତ୍ରୀମାନେ ଜିଦ୍ ଧରିଥିଲେ।
ପ୍ରଧାନ ଶିକ୍ଷକ ତୁଷାରକାନ୍ତ ପାତ୍ର ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ତାଙ୍କ ଗୋଡ଼ ଧରି ଶିକ୍ଷକମାନଙ୍କୁ ଅନ୍ୟତ୍ର ନପଠାଇବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ। ଏହି ସମୟରେ ଜଣେ ଛାତ୍ରୀ ଅତ୍ୟଧିକ କାନ୍ଦିବାରୁ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ତହସିଲଦାରଙ୍କ ଗାଡ଼ିରେ ଡାକ୍ତରଖାନାକୁ ନିଆଯାଇଥିଲା।
ଅନ୍ୟପକ୍ଷରେ, ଘଟଣାସ୍ଥଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇନଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ବିଇଓ ଯତୀନ୍ଦ୍ର ଦତ୍ତ ମଧ୍ୟ ବିଦ୍ୟାଳୟରେ ପହଞ୍ଚିଥିଲେ।
ବିଇଓ କହିଛନ୍ତି ଯେ, ଯେଉଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି, ସେହି ବିଦ୍ୟାଳୟରେ ବଦଳି ହୋଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇ ଶିକ୍ଷାଦାନ କରିବେ। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ଭାବନା ଓ ବଦଳି ନିର୍ଦ୍ଦେଶକୁ ନେଇ ଅଭିଭାବକ ମହଲରେ ମଧ୍ୟ ଆଲୋଚନା ଜୋର ଧରିଛି।