ଓଡ଼ିଶାର ଉପକୂଳ ସୁରକ୍ଷା, ଜଳବାୟୁ ପରିବର୍ତ୍ତନଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ପାଇଁ ପ୍ରସ୍ତାବିତ ‘ARISE’ ପ୍ରକଳ୍ପ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୈଠକରେ ଅଧ୍ୟକ୍ଷତା କରିଥିଲେ।
Asian Development Bank (ADB) ଓ OSDMAର ମିଳିତ ପ୍ରୟାସରେ ଓଡ଼ିଶାର ୫୭୩ କିମି ଉପକୂଳ ନେଇ ପ୍ରାଥମିକ ଅଧ୍ୟୟନ କରାଯାଇଛି। ଉପକୂଳ କ୍ଷୟ ରୋକିବା, ଅବକ୍ଷେପ ପରିଚାଳନା, ପରିବେଶ ସୁରକ୍ଷା ଓ ଉପକୂଳବର୍ତ୍ତୀ ଲୋକଙ୍କ ଜୀବିକା ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି।
ଏଥିସହ ବ୍ଲୁ ଇକୋନୋମି, ଜଳବାୟୁ ସହନଶୀଳ ଉପକୂଳ ପର୍ଯ୍ୟଟନ ଏବଂ ଆଧୁନିକ ପ୍ରଯୁକ୍ତିଭିତ୍ତିକ ଉପକୂଳ ନିରୀକ୍ଷଣ ବ୍ୟବସ୍ଥା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଚୂଡ଼ାନ୍ତ ରିପୋର୍ଟ ପରେ ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ବୈଠକରେ OSDMAର ବରିଷ୍ଠ ଅଧିକାରୀ ଏବଂ ADBର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।