ନେପାଳ-ତିବ୍ବତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ଆଉ ଜଣେ ଯୁବତୀ ନିଖୋଜ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା କୁଲସୁମ ନିଗାର ଏହି ପ୍ରାକୃତିକ ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ଛାଇ ଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, କୁଲସୁମ ଗତ ୨୧ ଅଗଷ୍ଟରେ ଟ୍ରେନରେ ଯାତ୍ରା ଆରମ୍ଭ କରି ୨୨ ଅଗଷ୍ଟରେ ନେପାଳ ପହଞ୍ଚିଥିଲେ। ସେ ପୋଖରା ଓ କାଠମାଣ୍ଡୁ ଅଞ୍ଚଳରେ ଟ୍ରେକିଙ୍ଗ୍ ତଥା ଦର୍ଶନ ପାଇଁ ଯାଇଥିଲେ। ପରିବାର ସହିତ ତାଙ୍କ ଶେଷ ଯୋଗାଯୋଗ ୨୫ ଅଗଷ୍ଟ ସକାଳ ପ୍ରାୟ ୧୧ଟା ପର୍ଯ୍ୟନ୍ତ ରହିଥିଲା। ୨୬ ଅଗଷ୍ଟ ସକାଳ ପ୍ରାୟ ୮:୩୦ ପର୍ଯ୍ୟନ୍ତ ସେ ଅନଲାଇନ୍ରେ ସକ୍ରିୟ ଥିବା ବି ଜଣାପଡ଼ିଛି। ତାଙ୍କ ଶେଷ ଜିପିଏସ୍ ଲୋକେସନ୍ କାଠମାଣ୍ଡୁ ଆଖପାଖ ବା ପୋଖରା ଅଞ୍ଚଳରେ ଥିବା କୁହାଯାଉଛି। ବର୍ତ୍ତମାନ ତାଙ୍କ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶେଷ ଯୋଗାଯୋଗ ୨୫ ଅଗଷ୍ଟ ରାତି ୮ଟାରେ ହୋଇଥିଲା।ଓଡ଼ିଶା ପରିବାର ସଂସ୍ଥାର ଅଧିକାରୀ ପ୍ରୀତିଶ ପାଣ୍ଡା ଜଣାଇଛନ୍ତି ଯେ ପରିବାରରୁ ସମସ୍ତ ତଥ୍ୟ ସଂଗ୍ରହ କରି ବିଦେଶ ମନ୍ତ୍ରାଳୟ (MEA)କୁ ପଠାଯାଇଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ନେପାଳ ପ୍ରଶାସନ ଓ ସେନା ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।