ପାହାଡ଼ରୁ ଖସିଲା ଅତଡ଼ା,ରାସ୍ତା ଅବରୋଧ ! ଯାତାୟାତ ସୁଗମ କଲେ ଗ୍ରାମବାସୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଡ଼ସିଲ ଗ୍ରାମରୁ ତଳ ହାଡ଼ସିଲ ପୋଡ଼ାକୁ ଯାଇଥିବା ରାସ୍ତା ଉପରେ ଲଗାଣ ବର୍ଷା କାରଣ ବଶତଃ ପାହାଡ଼ରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ। ଯାତାୟାତ ଠପ୍ ହୋଇପଡ଼ିବା ପରେ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ନିଜେ ରାସ୍ତା ସଫା କରିବାରେ ଲାଗିଛନ୍ତି ଗ୍ରାମବାସୀ।
ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତା ଅବରୋଧ ସମ୍ପର୍କରେ ପଞ୍ଚାୟତ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା ସଫା କରିବା ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଫଳରେ ବାଧ୍ୟ ହୋଇ ପଡ଼ାବାସୀ ନିଜେ ଶ୍ରମଦାନ କରି ଦୁଇ ଦିନ ଧରି ରାସ୍ତାରୁ ମାଟି ଓ ପଥର ହଟାଉଛନ୍ତି। ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପଡ଼ାବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଭବିଷ୍ୟତରେ ପାହାଡ଼ରୁ ଅତଡ଼ା ଖସିବା ରୋକିବା ପାଇଁ ସ୍ଥାୟୀ ପ୍ରତିକାରମୂଳକ ବ୍ୟବସ୍ଥା କରିବାକୁ ପଡ଼ାବାସୀ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଏହି ଶ୍ରମଦାନ ପ୍ରଶଂସନୀୟ ହୋଇଥିବା ବେଳେ, ଏବେ ପ୍ରଶ୍ନ ଉଠୁଛି—ଲୋକେ ନିଜେ ରାସ୍ତା ସଫା କରିବେ ନା ପ୍ରଶାସନ ନେବ ସ୍ଥାୟୀ ପଦକ୍ଷେପ?
କଳାହାଣ୍ଡି ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ