ଦେଶ ପାଇଁ ଚୀନରେ ଖେଳିବେ, ମୟୂରଭଞ୍ଜ ଗୌରବ “ସନ୍ଧ୍ୟାରାଣୀ”
ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି I
ରଗବି (Rugby) ହେଉଛି ଏକ ବହୁତ ଲୋକପ୍ରିୟ ଏବଂ ଶାରୀରିକ ଶକ୍ତିର ଖେଳ, ଯାହା ଏକ ଆୟତାକାର ପଡ଼ିଆରେ ଖେଳାଯାଏ । ଏହି ଖେଳର ମୂଳ ଲକ୍ଷ୍ୟ ହେଉଛି ବଲକୁ ଦୌଡ଼ାଇ ବା ପାସ୍ କରି ବିପକ୍ଷ ଦଳର ସୀମା ପାର୍ କରିବା ଏବଂ ସ୍କୋର କରିବା ।
ସନ୍ଧ୍ୟାରାଣୀ ଟୁଡୁଙ୍କ ସଫଳତା ପାଇଁ ସେ ବାରିପଦା ସ୍ଥିତ ଫ୍ୟୁଚର ଷ୍ଟାର ସ୍ପୋର୍ଟ୍ସ ଏକାଡେମୀ, ସମସ୍ତ କୋଚ ଓ ବିଶେଷ ଭାବରେ ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି I ଗତ ବର୍ଷ ମଧ୍ୟ ସେ ଏସୀୟ ରଗବି ସିରିଜରେ ଟପ ସ୍କୋରର ଭାବେ ପୁରସ୍କୃତ ହୋଇଥିଲେ I ଜାତୀୟ ସ୍ତରରେ ଓଡିଶା ପାଇଁ ବହୁବାର ପଦକ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା I ଗୋଟିଏ ଗରିବ ପରିବାରରୁ ଆସି ଜାତୀୟ ଦଳରେ ସ୍ଥାନ ପାଇ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରମାଣ କରିଦେଇଛନ୍ତି ସେ ପ୍ରତିଭା ଓ ଦୃଢ ଇଛାଶକ୍ତି ଆଗରେ ସବୁ ବାଧାବିପତ୍ତି ସବୁ କାଳରେ ପରାଜିତ ହୁଏ I ଖବର ପାଇ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ସମସ୍ତ କ୍ରୀଡ଼ାପ୍ରେମୀ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାବାସୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କାମନା କରିଛନ୍ତି I