କଟକ: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମୂହିକ ନିଶାମୁକ୍ତି ଶପଥ ପାଠ ଅନୁଷ୍ଠିତ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, ପରିବାରକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ସଙ୍କଳ୍ପ ନେଇଥିଲେ। ନିଜେ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବା ସହ ବନ୍ଧୁବର୍ଗ, ପରିବାର ସଦସ୍ୟ ଓ ସମାଜର ଅନ୍ୟମାନଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ନିଶାମୁକ୍ତ ସମାଜ ଗଠନରେ ଯୁବଶକ୍ତିର ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟବ୍ୟାପୀ ନିଶା ନିବାରଣର ବାର୍ତ୍ତା ପହଞ୍ଚାଇବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି।ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା, ଡିଆଇଜିପି (କାର୍ମିକ) ଶ୍ରୀ ଯୁଗଳ କିଶୋର ବୋନଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସାମୂହିକ ଶପଥ ମାଧ୍ୟମରେ ନିଶା ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖି ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ କରିବା ଦିଗରେ ପୋଲିସ ପ୍ରଶାସନର ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।