ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୦୦୦ କୋଟି ଟଙ୍କାର ୧୦-ଦଫା ସ୍ୱତନ୍ତ୍ର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷକ, ବୁଣାକାର, ମତ୍ସ୍ୟଜୀବୀ, କାରିଗର ଓ ବିସ୍ଥାପିତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ।
ପ୍ୟାକେଜର ମୁଖ୍ୟ ବ୍ୟବସ୍ଥା:-
୧. ଫସଲ କ୍ଷତି ପାଇଁ ଇନପୁଟ୍ ସବସିଡି: ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ବହୁବର୍ଷୀୟ ଫସଲ ପାଇଁ ୨୨,୫୦୦ ଟଙ୍କା ଦିଆଯିବ।
୨. ବିହନ ପାଇଁ ସିଧାସଳଖ ସହାୟତା: ପ୍ରଭାବିତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ।
୩. ପନିପରିବା କିଟ୍ ଓ କୀଟନାଶକ ସହାୟତା: ଚାଷୀଙ୍କୁ ମାଗଣା ପନିପରିବା ମିନି କିଟ୍ ଯୋଗାଇ ଦିଆଯିବ। କୀଟ ଓ ରୋଗ ନିୟନ୍ତ୍ରଣ ସାମଗ୍ରୀ ଉପରେ ୭୫ ପ୍ରତିଶତ ସବସିଡି ମିଳିବ।
୪. ଜଳସେଚନ ପ୍ରକଳ୍ପର ମରାମତି: କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଓ ପୁନଃନିର୍ମାଣକୁ ପ୍ରାଥମିକତା ଦିଆଯିବ।
୫. ମତ୍ସ୍ୟ ଓ ପଶୁସମ୍ପଦ ସହାୟତା: ବନ୍ୟାରେ ମୃତ ପଶୁସମ୍ପଦ ପାଇଁ କ୍ଷତିପୂରଣ ଏବଂ କ୍ଷତିଗ୍ରସ୍ତ ଡଙ୍ଗା, ଜାଲ ଓ ମାଛ ଚାଷ ପୋଖରୀର ମରାମତି ପାଇଁ ମତ୍ସ୍ୟଜୀବୀ ଓ ମାଛ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯିବ।
୬. ଫସଲ ଋଣ ପୁନର୍ଗଠନ: ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ ଫସଲ ଋଣକୁ ମଧ୍ୟମିଆଦୀ ଋଣରେ ପରିବର୍ତ୍ତନ କରାଯିବ।
୭. ବୁଣାକାର ଓ କାରିଗରଙ୍କୁ ସହାୟତା: କ୍ଷତିଗ୍ରସ୍ତ ଯନ୍ତ୍ରପାତି ଓ ଉପକରଣ ପାଇଁ ୫,୦୦୦ ଟଙ୍କା ଏବଂ ନଷ୍ଟ ହୋଇଥିବା କଞ୍ଚାମାଲ ଓ ପ୍ରସ୍ତୁତ ସାମଗ୍ରୀ ପାଇଁ ଅତିରିକ୍ତ ୫,୦୦୦ ଟଙ୍କା ଦିଆଯିବ।
୮. ଭିତ୍ତିଭୂମି ପୁନର୍ନିର୍ମାଣ: ତୁରନ୍ତ ଆବଶ୍ୟକ ରାସ୍ତା ମରାମତି କରାଯିବ। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ସ୍ଥାୟୀ ପୁନର୍ନିର୍ମାଣ ପାଇଁ ପୃଥକ ଅର୍ଥ ଯୋଗାଇ ଦିଆଯିବ।
୯. ଜରୁରୀ ଖାଦ୍ୟ ଯୋଗାଣ: ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ପ୍ୟାକେଟ୍ ଓ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ।
୧୦. ଘରୋଇ ସାମଗ୍ରୀ ପାଇଁ ସହାୟତା: ପ୍ରଭାବିତ ପରିବାରଙ୍କୁ ପୋଷାକ, ରୋଷେଇ ସାମଗ୍ରୀ ସମେତ ଆବଶ୍ୟକ ଘରୋଇ ଜିନିଷ କିଣିବା ପାଇଁ ନଗଦ ସହାୟତା ଯୋଗାଇ ଦିଆଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଜିଲ୍ଲା ପ୍ରଶାସନର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ଏହି ଆର୍ଥିକ ପ୍ୟାକେଜର ପରିମାଣ ଆହୁରି ବଢ଼ାଯାଇପାରେ।