ପ୍ରିୟ ଶତ୍ରୁ : ଶତ୍ରୁର ସଦ୍ଗୁଣ ( ଗଳ୍ପ) || ଗାଳ୍ପିକ :- ହରେକୃଷ୍ଣ ସାହୁ
ବାରିପଦାରେ ବିତିଲା ଶୈଶବ,କୈଶୋର,ବାଲ୍ୟ ଓ ଯୌବନ। ଛବିଶଟି ବର୍ଷର ସମୟ। ଯେଉଁଠାକୁ ମୁଁ ଭଲପାଠ,ଭଲଗୁଣ,ସୁନ୍ଦର ଆକର୍ଷଣୀୟ ରୂପ ନେଇ ଯାଇଥିଲି। ଏ ସବୁକୁ ସ୍ନେହଶ୍ରଦ୍ଧା ଦେଇ ବିକଶିତ କରିଥିଲେ ମୁଁ ଜଣେ ଭଲ ମଣିଷ ହୋଇପାରିଥା’ନ୍ତି। ଏତିକି ଆଶା ମୋ ମାଆର ଓ ଆମ ବନ୍ଧୁବାନ୍ଧବମାନଙ୍କର ଥିଲା। କିନ୍ତୁ ପ୍ରକୃତରେ ଘଟିଲା ଓଲଟା। ଅବହେଳିତ ହେଲି,ହତାଦର ଓ ଘୃଣା ପାଇଲି। ତା’ ସହିତ ଅପ୍ରକାଶ୍ୟ ମାନସୀକ ନିଯ୍ୟାର୍ତନା ଦେଲେ। ସେମାନେ ମୋତେ ସିଧାସଳଖ ତାଙ୍କ ଘରୁ ବାହାରି ଯିବାକୁ କହିପାରୁ ନ ଥିଲେ। ତେଣୁ ଏପରି ଉପାୟମାନ ପ୍ରୟୋଗ କରୁଥିଲେ। ଫଳରେ ଦଶ ଏଗାର ବର୍ଷ ବୟସରୁ ଡିପ୍ରେସନ୍ ରୋଗରେ ପିଡ଼ିତ ହେଲି। ଶେଷରେ କାହାକୁ କିଛି ନ କହି, ତାଙ୍କ ବ୍ୟବହାରର ପ୍ରତିରୋଧ ନ କରି ଚୁପ୍ଚାପ ବାରିପଦାର ସେହି ପରିବାର ଛାଡ଼ି ଚାଲିଆସିଲି। ସ୍ଥାନ ପରିବର୍ତ୍ତନ ଓ ବ୍ୟବହାରରେ ପରିବର୍ତ୍ତନ ହେଲେ ଡିପ୍ରେସନ୍ କମିବ। ମନ ସ୍ୱାଭାବିକ ଅବସ୍ଥା ପ୍ରାପ୍ତ ହେବ। ସେଥିପାଇଁ ଶ୍ରେଷ୍ଠ ସ୍ଥାନ ଥିଲା ମୋ ଗାଁ। ନିଜ ଗାଁଠାରୁ ମଧୁର ଓ ସୁନ୍ଦର ଭୂମି ଏ ଦୁନିଆରେ ଆଉ କ’ଣ ଅଛି ଯେ। ସେହି ଆଶା ଓ ସ୍ୱପ୍ନ ନେଇ ଫେରିଲି ଗାଁକୁ।
କିନ୍ତୁ ମୋ ପ୍ରିୟ ଗାଁଟି ମୋପାଇଁ ସେପରି ରୂପର ନ ଥିଲା। ସବୁଜ ଥିଲା, ସୁନ୍ଦରୀ ଥିଲା,ଆକର୍ଷଣୀୟ ଥିଲା, ପ୍ରେମମୟ ଥିଲା ମୋ ଗାଁର ଭୂଖଣ୍ଡ। କିନ୍ତୁ ଗାଁର କିଛି ଲୋକ ଥିଲେ ଠିକ ଏହାର ଓଲଟା। ହିଂସୁକ,ପରଶ୍ରୀକାତର, ଅତ୍ୟାଚାରୀ ଓ ଆହୁରି ବହୁତ ଦୁର୍ଗୁଣ ସମ୍ପନ୍ନ। ଗାଁରେ ବାସ କରିବାର ବର୍ଷେ ଦୁଇବର୍ଷ ପରେ ମୁଁ ତାଙ୍କର ଏସବୁ ଗୁଣର ଶିକାର ହେଲି।
କିନ୍ତୁ ବୁଝିପାରୁ ନ ଥିଲି କାହିଁକି ସେମାନେ ମୋତେ ଏପରି ଦୁଃଖ ଦେବାକୁ ଇଚ୍ଛା କରୁଛନ୍ତି ! କ’ଣ ପାଉଛନ୍ତି ମୋତେ ଏପରି ଯନ୍ତ୍ରଣା ଦେବାର ଫଳ ହିସାବରେ ! କିଛି ନାହିଁ। କିନ୍ତୁ ଗାଁରେ ଛତିଶ ବର୍ଷ ବିତିଗଲାଣି ତାଙ୍କର ଏହି ଦୁଃଖ, ଯନ୍ତ୍ରଣା ଦେବା କ୍ରିୟା ଜାରି ରହିଛି। ବୋଧହୁଏ ମୋର ମୃତ୍ୟୁ ସହିତ ତାଙ୍କର ଏହି ହିଂସ୍ର କ୍ରିୟା ତୃପ୍ତିଲାଭ କରିବ। ମୁଁ ସେମାନଙ୍କୁ, ପ୍ରତ୍ୟେକଙ୍କୁ ଜଣ ଜଣ କରି ଚହ୍ନିଛି। ସେମାନେ ମୋ ସହିତ ସାମାନ୍ଯ ରୂପ,ଗୁଣ ନେଇ ମିଶନ୍ତି ଓ ମିଶୁଛନ୍ତି। କିନ୍ତୁ ମୁଁ ସେ ଦିନରୁ ଆଜିଯାଏ କିଛି ପ୍ରତିକ୍ରିୟା ପ୍ରକାଶ କରିନାହିଁ। କେବଳ ନିରବରେ ସହିଚାଲିଛି। ତାଙ୍କର ଛଳନାକୁ ଦେଖୁଛି। ଅଧିକରୁ ଅଧିକ ଭାବରେ ସେମାନଙ୍କୁ ମୁଁ ଚିହ୍ନୁଛି। ସେମାନଙ୍କୁ ଭଲପାଉଛି। ମୋ ଭଲପାଇବାରେ ଆବିଳତା ନାହିଁ। ମନ ଭିତରେ, ତାଙ୍କ ବିରୁଦ୍ଧରେ ଅଭିଶାପ ନାହିଁ। କାରଣ ସେମାନଙ୍କର କ୍ଷତି ହେଲେ ମୋର କ’ଣ ଲାଭ ହେବ ! ସେମାନେ ଦୁଃଖ ପାଇଲେ ମୋର କ’ଣ ଉନ୍ନତ୍ତି ହେବ ! କିଛି ନାହିଁ। ତେଣୁ ମୁଁ କାମନା କରେ ତାଙ୍କୁ ଅକଳନ୍ତି ସୁଖ ମିଳୁ। ସେମାନେ ନିଜ ସୁଖରେ ବୁଡ଼ି ଯାଆନ୍ତୁ ଆଉ ମୋତେ ଭୁଲି ଯାଆନ୍ତୁ।
ଏବେ ମୁଁ ଡିପ୍-ଡିପ୍ରେସନ୍ ଓ ଏଙ୍ଗଜାଇଟି ରୋଗରେ ପିଡ଼ିତ। ଅବତେଚନ ମନରେ ଥିବା ବାରିପଦାର ଦୁଃଖ ଉଦ୍ଜୀବିତ ହେବା ସହିତ ବର୍ତ୍ତମାନର ଦୁଃଖ ତା’ ସହିତ ମିଶିଯାଇଛି। ତେଣୁ ମୁଁ ଏବେ ଗଭୀର ଚାପଗ୍ରସ୍ତ ହୋଇପଡ଼ିଛି। ଏହା ଡିପ୍-ଡିପ୍ରେସନ୍।
ଅନେକ ବର୍ଷ ଧରି, ମୁଁ ଜାଣିବା ଆଗରୁ,ଆଶା କରିବା ଆଗରୁ,କଳ୍ପନା କରିବା ଆଗରୁ ମୋର ପ୍ରିୟ ଶତ୍ରୁମାନେ ଗୋଟିଏ ପରେ ଗୋଟିଏ ଦୁଃଖ ପଠାଇ ଚାଲିଛନ୍ତି। ତେଣୁ ମୁଁ ସବୁବେଳେ ଭୟଭୀତ ହୋଇ ବା ଏଙ୍ଗ୍ଜାଇଟି ଭିତରେ ରହୁଛି। ନିରନ୍ତର ଭାବୁଛି, ପୁଣି କିଛି ଗୋଟାଏ ଦୁଃଖ ମୋ ଉପରକୁ ମାଡ଼ି ଆସୁଛି କି ! ଅଜଣା ଆଶଙ୍କା ହିଁ ଏଙ୍ଗ୍ଜାଇଟି ରୋଗ ଅଟେ।
ବାରିପଦାରେ ଥିବା ବା ମୋ ଗାଁରେ ଥିବା ଲୋକମାନେ କ’ଣ ? ସେମାନେ ତ ଖୁବ୍ ଭଲ ମଣିଷ। ସେମାନେ ତାଙ୍କର ପ୍ରିୟ ପରିଜନ,ସାଙ୍ଗସାଥୀଙ୍କୁ ନିର୍ମଳ ହୃଦୟରେ ଭଲ ପାଆନ୍ତି। ନିଜ ସନ୍ତାନସନ୍ତତି ଙ୍କୁ ପ୍ରେମ କରନ୍ତି। ଚୁମ୍ବନ ଦିଅନ୍ତି,କୋଳାଗ୍ରତ କରନ୍ତି। ନିକଟ ଦୂରର ପରିଚିତ ତଥା ଅପରିଚିତ ଲୋକଙ୍କୁ ଭଲ ପାଆନ୍ତି। ତାଙ୍କ ମନ ଭିତରେ ଭଲପାଇବା ଓ ପ୍ରେମ ଭରପୁର ଅଛି। ସାଙ୍ଗସାଥୀ ମାନଙ୍କୁ ଖୁସି ଦେବାକୁ ହାତଖୋଲା ଖର୍ଚ୍ଚ କରନ୍ତି। କିନ୍ତୁ କେବଳ ମୋପାଇଁ କାହିଁକି ତାଙ୍କର ସେ ପ୍ରେମମୟ ଧାରା ଶୁଷ୍କ ହୋଇଯାଉଛି ! ମୁଁ ତ ଛତିଶ ବର୍ଷ ଧରି ନିରବ ରହିଛି। ତାଙ୍କ କ୍ରିୟା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିନାହିଁ। ତାଙ୍କ ପଦକ୍ଷେପର ପ୍ରତିରୋଧ କରିନାହିଁ। ନିରବଚ୍ଛିନ୍ନ ଭାବରେ ସହି ଚାଲିଛି।
ସହିଛି ଓ ସହୁଛି। କେବଳ ଈଶ୍ଵରଙ୍କ ପାଖରେ ଅଭିଯୋଗ କରିଛି। ପାଇଛି ସହନଶକ୍ତି ଓ ଜ୍ଞାନ। ପୁନଶ୍ଚ ଶତ୍ରୁ ବି ଅନେକ କିଛି ଦିଅନ୍ତି।
କିନ୍ତୁ ସେମାନେ କିଏ ? କ’ଣ ? ଓ କାହିଁକି ?
ମଣିଷର ଦୁଇ ପ୍ରକାରର ଶତ୍ରୁ ଥା’ନ୍ତି। ପ୍ରଥମ ରାକ୍ଷସ ପ୍ରକୃତିର ଦ୍ୱତୀୟ ଅସୁର ପ୍ରକୃତିର। ଉଦାହରଣ ହେଲା ରାକ୍ଷସ ରାଜା ରାବଣ। ରାକ୍ଷସମାନେ ବିଦ୍ୱାନ, ଜ୍ଞାନି,ପଣ୍ଡିତ, ତପସ୍ୱୀ ହୋଇଥା’ନ୍ତି। ସାଧନା କରି ବିଭିନ୍ନ ଦେବ ଦବୀଙ୍କଠାରୁ ବର ପ୍ରାପ୍ତ ହୋଇଥା’ନ୍ତି। ସେମାନେ ପୃଥିବୀର କୌଣସି ବ୍ୟକ୍ତିଙ୍କୁ ଶତ୍ରୁ ବୋଲି ଭାବନ୍ତି ନାହିଁ। କାହାଠାରୁ କିଛି ଆଘାତ, ଅପମାନ, ଖରାପ ବ୍ୟବହାର ପାଇଲେ ତାଙ୍କୁ ଶତ୍ରୁ ଭାବନ୍ତି ଓ ପ୍ରତିକ୍ରିୟାଶୀଳ ହୁଅନ୍ତି । ପ୍ରତିଶୋଧ ନିଅନ୍ତି। ଶତ୍ରୁର କ୍ଷତି କରିବାପାଇଁ ପ୍ରୟାସ ଆରମ୍ଭ କରନ୍ତି। କିନ୍ତୁ ତାଙ୍କର ସେହି କ୍ରିୟାରେ ସତ୍ୟ ଥାଏ। ନ୍ୟାୟ ଥାଏ। ତାଙ୍କ ଯୁଦ୍ଧରେ ଧର୍ମ ଥାଏ। ସେମାନେ ବେଳେ ବେଳେ ନିଜର ହିଂସା କ୍ରିୟା ପାଇଁ ଅନୁତାପ ମଧ୍ୟ କରିଥା’ନ୍ତି।
ଦ୍ୱିତୀୟ ପ୍ରକାରର ହେଲେ ଅସୁର, ଯେଉଁମାନେ ସମାଜପାଇଁ ଖୁବ୍ କ୍ଷତିକାରକ। ଏମାନେ ଅଜ୍ଞାନ,ମୁର୍ଖ, ପଶୁ ସହିତ ସମାନ। କିଛି କାରଣ ଥାଉ କି ନ ଥାଉ, ଲୋକଟି ତାଙ୍କର କ୍ଷତି କରିଥାଉ କି କରି ନ ଥାଉ ସେ ସବୁ କାରଣ ସେମାନେ ଖୋଜନ୍ତି ନାହିଁ। ସେମାନେ ନିଜ ଇଚ୍ଛାରେ ଜଣକୁ ନିଜର ଶତ୍ରୁବୋଲି ଭାବି ନିଅନ୍ତି। ତା’ ପରେ ସେମାନଙ୍କର କ୍ରିୟା ଆରମ୍ଭ ହୋଇଯାଏ।
ଅସୁରମାନେ ଯେମିତି ମୁନି,ଋଷିମାନଙ୍କ ଉପରେ ଅତ୍ୟାଚାର କରୁଥିଲେ,ତାଙ୍କ ସାଧନାରେ ବାଧା ସୃଷ୍ଟି କରୁଥିଲେ,ତାଙ୍କ ହୋମ କୁଣ୍ଡରେ ପରିସ୍ରା କରୁଥିଲେ, ଆଶ୍ରମ ଭାଙ୍ଗି ଦଖଲ କରୁଥିଲେ ମଣିଷ ଅସୁରମାନେ ଠିକ ସେହିପରି କରନ୍ତି। ଅସୁରଙ୍କର ମୁନି,ଋଷିଙ୍କ ସହିତ କୌଣସି ଶତ୍ରୁତା ନ ଥାଏ। କିନ୍ତୁ ସେମାନେ କ୍ଷତି କରିଥା’ନ୍ତି। ଏପରି କ୍ରିୟାରୁ ସେମାନେ ଆନନ୍ଦ ପାଇଥା’ନ୍ତି। ସେମାନେ ଅନୁତାପର ଅର୍ଥ ବୁଝନ୍ତି ନାହିଁ। କାରଣ ସେଥିପାଇଁ ଜ୍ଞାନ ଆବଶ୍ଯକ ହୋଇଥାଏ। ଅସୁର ପାଖରେ ଜ୍ଞାନ ଆସିବ କେଉଁଠୁ।
ଆଜିର ଅସୁର ରୂପକ ମଣିଷମାନେ ଠିକ୍ ସେମିତି ବିନା କାରଣରେ ଆପଣଙ୍କର କ୍ଷତି କରିଥା’ନ୍ତି। ଏଥିରୁ ସେମାନେ କିଛି ବ୍ୟକ୍ତିଗତ ଲାଭ ପାଆନ୍ତି ନାହିଁ। କିନ୍ତୁ ଗୋଟେ ଅସ୍ୱାଭାବିକ ଆନନ୍ଦ ପାଆନ୍ତି। ଏହାକୁ କୁହାଯାଏ ସେଡିଷ୍ଟିକ ନେଚର୍। ଅନ୍ୟକୁ ଦୁଃଖ ଦେଇ ସେଥିରୁ ସୁଖ ପାଇବା ,ଅନ୍ୟର ଦୁଃଖ ଦେଖି, ଛଟପଟ ହେବା ଦେଖି ଆନନ୍ଦିତ ହେବା ଏପରି ଲୋକଙ୍କ ଲକ୍ଷଣ।
ଏବେ ମୁଁ ବୁଝିଲି। ଉତ୍ତର ପାଇଲି।
