ନିମାପଡ଼ା ଏନ୍ଏସି କୌଣସି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ବ୍ୟକ୍ତିଗତ ସଂସ୍ଥା ନୁହେଁ; ଏହା ଜନସାଧାରଣଙ୍କ ସଂସ୍ଥା। ତେଣୁ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ହେଉ କିମ୍ବା ପ୍ରଶାସନିକ ନିଷ୍ପତ୍ତି—ପ୍ରତ୍ୟେକ କ୍ଷେତ୍ରରେ ନିୟମ ଓ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ଆବଶ୍ୟକ। ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ଅବଗତ ନକରି କୌଣସି ନିଷ୍ପତ୍ତି ନିଆଯିବା ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ ବୋଲି ମତ ଦେଇଛନ୍ତି ନିମାପଡ଼ା ଏନ୍ଏସି ଅଧ୍ୟକ୍ଷା ସସ୍ମିତା ସାହୁ।
୮୦ତମ ସ୍ୱାଧୀନତା ଦିବସ ଅବସରରେ ନିମାପଡ଼ା ଏନ୍ଏସି ପରିସରରେ ଆୟୋଜିତ ସମାରୋହରେ ଅଧ୍ୟକ୍ଷା ସସ୍ମିତା ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଉପନଗରପାଳ ସନ୍ତୋଷ ଦାଶ, କାଉନସିଲର ଧନୁର୍ଦ୍ଧର ଦାସ, ଅନୁସୂୟା ପାଣି, ନିବେଦିତା ପଟ୍ଟନାୟକ, ଟିକିନା ପଣ୍ଡା, ରଞ୍ଜିତା ପାତ୍ର, ମାଧବ ବେହେରା, ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ପରିମଳ ଅଧିକାରୀ ରାକେଶ କୁମାର ରାଉତଙ୍କ ସମେତ ଏନ୍ଏସିର ବହୁ କର୍ମଚାରୀ ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସ ଅବସରରେ ସଂକ୍ଷିପ୍ତ ଅଭିଭାଷଣ ରଖିବା ପରେ ଅଧ୍ୟକ୍ଷା ଏନ୍ଏସିର କାର୍ଯ୍ୟପ୍ରଣାଳୀ ଓ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, “ଗଣତନ୍ତ୍ରର ଅର୍ଥ ହେଉଛି ଜନସାଧାରଣଙ୍କ ମତକୁ ସମ୍ମାନ ଦେବା। ଏଥିସହ ଜନପ୍ରତିନିଧିମାନଙ୍କ ମତାମତକୁ ଗୁରୁତ୍ୱ ଦେଇ ନିୟମ ଅନୁଯାୟୀ ତାହାକୁ କାର୍ଯ୍ୟକାରୀ କରିବା।” ଅଧିକାରୀମାନେ ପ୍ରଶାସନିକ ବ୍ୟବସ୍ଥା ଚଳାଇବେ ଏବଂ ତାହାକୁ ଆମେ ସମ୍ମାନ କରୁଛୁ। କିନ୍ତୁ ଜନତାଙ୍କ ଦ୍ୱାରା ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରି ମନମୁଖୀ ଭାବେ କୌଣସି ନିଷ୍ପତ୍ତି ନିଆଗଲେ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏନ୍ଏସିର ବିକାଶ ପାଇଁ ନିଆଯାଉଥିବା ନିଷ୍ପତ୍ତି ବନ୍ଦ କୋଠରୀ ଭିତରେ ନୁହେଁ, କାଉନସିଲ ସମ୍ମୁଖରେ ସ୍ୱଚ୍ଛତା ଓ ନିୟମାନୁସାରେ ହେବା ଦରକାର ବୋଲି ଅଧ୍ୟକ୍ଷା ମତ ପ୍ରକାଶ କରିଥିଲେ। ଏଥିସହ ପରିଷଦରେ ନିଜକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପ ନେଇ ମଧ୍ୟ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଧିକାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରହିବା ଦ୍ୱାରା ହିଁ ଏନ୍ଏସିର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।
ଆଗାମୀ ଦିନରେ ଜନଅସନ୍ତୋଷ ଯେପରି କୌଣସି ଭୟଙ୍କର ରୂପ ନ ନେଉ, ସେଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ଅଧ୍ୟକ୍ଷା ସସ୍ମିତା ସାହୁ ଚେତାବନୀ ଦେଇଥିଲେ।
ଅଧ୍ୟକ୍ଷାଙ୍କ ଏହି ମନ୍ତବ୍ୟ ପରେ ନିମାପଡ଼ା ଏନ୍ଏସିର ପ୍ରଶାସନିକ କାର୍ଯ୍ୟପ୍ରଣାଳୀ, ଅଧିକାରୀ-ଜନପ୍ରତିନିଧି ସମନ୍ୱୟ ଏବଂ ନିଷ୍ପତ୍ତି ଗ୍ରହଣରେ ସ୍ୱଚ୍ଛତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
