ମୟୂରଭଞ୍ଜ ଜିଲ୍ଲାରେ ଗତ ୧୩ ଅଗଷ୍ଟରୁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ପକ୍ଷରୁ ୧୭ ଅଗଷ୍ଟ ୨୦୨୬ରେ ଜାରି ତଥ୍ୟ ଅନୁସାରେ, ୨୨ଟି ବ୍ଲକ୍, ୫୪ଟି ଗ୍ରାମ ପଞ୍ଚାୟତ, ୧୨୬ଟି ଗ୍ରାମ ଏବଂ ୧ଟି ପୌରାଞ୍ଚଳର ୮ଟି ୱାର୍ଡ ପ୍ରଭାବିତ ହୋଇଛି।
ଏହି ବର୍ଷା ଓ ଜଳବନ୍ଦୀ ଯୋଗୁଁ ମୋଟ ୨୭,୯୮୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ୨୬,୭୪୧ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ମୋଟ ବର୍ଷା ପରିମାଣ ୨୩୮୪.୭ ମିମି ଏବଂ ହାରାହାରି ବର୍ଷା ୯୧.୭୨ ମିମି ରେକର୍ଡ ହୋଇଛି। ପ୍ରମୁଖ ବର୍ଷାପାତ ମଧ୍ୟରେ ବଡ଼ସାହିରେ ୧୩୫ ମିମି, ବେତନଟୀରେ ୧୧୩ ମିମି, ଉଦଳାରେ ୧୨୫.୮ ମିମି, କପ୍ତିପଦାରେ ୧୩୮ ମିମି, କୁସୁମୀରେ ୧୪୪ ମିମି, ଯଶିପୁରରେ ୧୩୫ ମିମି, କରଞ୍ଜିଆରେ ୧୬୪ ମିମି, ସୁକୃଳିରେ ୧୩୪ ମିମି ଏବଂ ରରୁଆଁରେ ୧୩୦ ମିମି ବର୍ଷା ହୋଇଛି। ଉଦ୍ଧାର ଓ ଜରୁରୀକାଳୀନ ପଦକ୍ଷେପ ପରିସ୍ଥିତିର ମୁକାବିଲା ପାଇଁ ୧୨ଟି ମେଡିକାଲ୍ ଟିମ୍, ୩ଟି ପଶୁ ଚିକିତ୍ସା ଟିମ୍, ୨ଟି ଓଡ୍ରାଫ୍ ଟିମ୍, ୧ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୧୩ଟି ଅଗ୍ନିଶମ ବାହିନୀ ଟିମ୍ ପ୍ରଭାବିତ ବ୍ଲକ୍ଗୁଡ଼ିକରେ ନିୟୋଜିତ ହୋଇଛନ୍ତି। ଏଥିସହ ପୁଲିସ ଓ ସ୍ଥାନୀୟ ଟିମ୍ର ୨୬ଟି ଦଳ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସାମିଲ ଅଛନ୍ତି। ନଦୀର ଜଳସ୍ତର ସକାଳ ୯ଟାର ତଥ୍ୟ ଅନୁସାରେ, ବୁଢ଼ାବଳଙ୍ଗ ନଦୀର ବାରିପଦା-ଆସ୍ତିଆଠାରେ ଜଳସ୍ତର ୨୫.୫୦ ମିଟର, ଯାହା ବିପଦ ସଙ୍କେତଠାରୁ ତଳେ ରହିଛି। ରାଜଘାଟଠାରେ ବୁଢ଼ାବଳଙ୍ଗର ଜଳସ୍ତର ୭.୪୪ ମିଟର, ଯାହା ବିପଦ ସଙ୍କେତଠାରୁ ତଳେ ଅଛି। ତେବେ ଜଳକା ନଦୀର ଜଳସ୍ତର ୬.୫୨ ମିଟରରେ ପହଞ୍ଚି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୮.୭୨ ମିଟର, ଯାହା ସତର୍କ ସଙ୍କେତଠାରୁ ତଳେ ରହିଛି। ରିଲିଫ୍ ବ୍ୟବସ୍ଥା ଜିଲ୍ଲାରେ ୩୯ଟି ମାଗଣା ରୋଷେଇ କେନ୍ଦ୍ର/ରିଲିଫ୍ ସେଣ୍ଟର ଚାଲୁ ରହିଛି। ଏହି କେନ୍ଦ୍ରଗୁଡ଼ିକରୁ ୨୬,୭୪୧ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏଥିସହ ୩୯.୭୪ କ୍ୱିଣ୍ଟାଲ୍ ଚୁଡ଼ା ଏବଂ ୬.୪୧ କ୍ୱିଣ୍ଟାଲ୍ ଗୁଡ଼ ବଣ୍ଟନ କରାଯାଇଛି। ବର୍ତ୍ତମାନ ରାସଗୋବିନ୍ଦପୁର ବ୍ଲକ୍ର ୧ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ, ପ୍ରଭାବିତ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ପାଇଁ ସମସ୍ତ ଜରୁରୀ ପଦକ୍ଷେପ ଜାରି ରହିଛି।
