ସିମିଳିପାଳ ପାଦଦେଶର ନଡ଼ାଛପର ଘରୁ ମେଡିକାଲ କଲେଜ ଯାଏଁ ଜଣେ ଆଦିବାସୀ ଝିଅର ସଂଘର୍ଷ କାହାଣୀ
ମୟୂରଭଞ୍ଜ — ଏହି ମାଟିର ପରିଚୟ କେବଳ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କିମ୍ବା ଇତିହାସ ଭିତରେ ସୀମିତ ନୁହେଁ, ଏହି ମାଟି ଦେଶକୁ ଦେଇଛି ପ୍ରଥମ ନାଗରିକ ମହାମାନ୍ୟା ରାଷ୍ଟ୍ରପତି, ଦେଇଛି ସର୍ବୋଚ୍ଚ ପଦବୀରେ ବସିଥିବା CAG ଏବଂ RBIର ଡେପୁଟି ଗଭର୍ଣ୍ଣର। ୫୮ ପ୍ରତିଶତ ଆଦିବାସୀ ଜନସଂଖ୍ୟା ଏବଂ ୬୨ ପ୍ରକାର ଭିନ୍ନ ଭିନ୍ନ ସମ୍ପ୍ରଦାୟର ସଂସ୍କୃତିକୁ ନେଇ ସମୃଦ୍ଧ ଏହି ମାଟିରୁ ଆଜି ହଜାର ହଜାର ଡାକ୍ତର ଓ ଇଞ୍ଜିନିୟର ସାରା ଦେଶ ତଥା ବିଶ୍ୱରେ ନିଜ ସେବାର ସ୍ୱାକ୍ଷର ଛାଡ଼ୁଛନ୍ତି।
କିନ୍ତୁ ଆଜି ଯେତେବେଳେ ଜାତୀୟ ସ୍ତରରେ NEET ପରୀକ୍ଷାକୁ ନେଇ ଅନେକ ବିବାଦ, ସଂଶୟ ଏବଂ ହଲ୍ଲାବୋଲ ଚାଲିଛି, ସେତେବେଳେ ଆମ ଗାଁ-ଗହଣ୍ଡିରୁ, ସିମିଳିପାଳର ଗ୍ରାମୀଣ ପରିବେଶରୁ ଆସୁଥିବା ଆଦିବାସୀ ଛାତ୍ରଛାତ୍ରୀମାନେ ପ୍ରମାଣ କରିଦେଉଛନ୍ତି ଯେ— ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧାବିଘ୍ନ ହାର ମାନିବାକୁ ବାଧ୍ୟ।

ଅଭାବ ଓ ଅନଟନରୁ ମେଡିକାଲ କଲେଜ: ଶିଖା ମାଝୀଙ୍କ କାହାଣୀ
ବିଶୋଇ ବ୍ଲକ ନୂଆଗାଁ ପଞ୍ଚାୟତ ସାନଜାମବିଲା ଗ୍ରାମର ଝିଅ ଶିଖା ମାଝୀ। ତାଙ୍କ ପିତା ରାମସିଂ ମାଝୀ ଜଣେ ଦିନମଜୁରିଆ। ନିଜସ୍ୱ ଜମିବାଡ଼ି ନାହିଁ, ଖଣ୍ଡିଏ ନଡ଼ାଛପର ଘରେ ରହି ପରିବାର ଚଳାଇବା ସହ ଝିଅର ପାଠପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା।
ଏତେ ଅଭାବ ଭିତରେ ବି ଶିଖା ନିଜ ସ୍ୱପ୍ନରୁ ଓହରି ନାହାନ୍ତି। ବିଶୋଇ ବାଡୁଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି, ନିଜ କଠିନ ପରିଶ୍ରମ ବଳରେ ସେ NEET ପରୀକ୍ଷାରେ ୨୩୭ ନମ୍ବର ରଖି ସଫଳତା ହାସଲ କରିଛନ୍ତି। ଯାଜପୁର ସ୍ଥିତ ମହାରାଜା ଯଯାତି କେଶରୀ ସରକାରୀ ମେଡିକାଲ କଲେଜରେ ତାଙ୍କର ଡାକ୍ତରୀ ପଢ଼ିବା ପାଇଁ ନାମଲେଖା ଅନୁମତି ପତ୍ର ମିଳିସାରିଛି।

ସହଯୋଗର ହାତ ଏବଂ ସାମାଜିକ ଦାୟିତ୍ୱ
ଶିଖାଙ୍କ ଏହି ଜିଦ୍ ଏବଂ ସଫଳତା ଆଗରେ ସାମାଜିକ ଦାୟିତ୍ୱବୋଧ ମଧ୍ୟ ଆଗେଇ ଆସିଛି। ବିଦ୍ୟାଳୟର ‘ଏକ ଅଦବିକା’ ବୈଠକ ମାଧ୍ୟମରେ ସିଡିପିଓ ଶ୍ରୀମତୀ ବିନ୍ଦୁ ଟୁଡୁଙ୍କ ଉଦ୍ୟମକ୍ରମେ ଆଦିବାସୀ ସାମାଜିକ-ସାଂସ୍କୃତିକ ସଂଗଠନ ‘ଖେରୱାଳ ଜୁମିଦ’ (ରାଇରଙ୍ଗପୁର) ସହ ଯୋଗାଯୋଗ କରାଯାଇଥିଲା।
ରକ୍ଷାବନ୍ଧନର ପବିତ୍ର ଅବସରରେ ଶିଖା ଯେତେବେଳେ ଡାକ୍ତରୀ ପଢ଼ିବା ପାଇଁ ଘରୁ ପାଦ କାଢ଼ିଲେ, ସେତେବେଳେ ଖେରୱାଳ ଜୁମିଦ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ୧ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସଂଗଠନ ସ୍ପଷ୍ଟ ଭାବେ ପ୍ରକାଶ କରିଛି ଯେ, “ଯଦି କୌଣସି ସାନ୍ତାଳ ସମ୍ପ୍ରଦାୟର ଆଦିବାସୀ ଛାତ୍ର କିମ୍ବା ଛାତ୍ରୀଙ୍କ ବୃହତ୍ତର ସ୍ୱପ୍ନ ଆଗରେ ଆର୍ଥିକ ଅସ୍ୱଚ୍ଛଳତା ବାଧା ସାଜେ, ତେବେ ଖେରୱାଳ ଜୁମିଦ ସେମାନଙ୍କୁ ସାହାଯ୍ୟ କରିବାରେ ତିଳେ ହେଲେ ପଛଘୁଞ୍ଚା ଦେବନାହିଁ।”
ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଭାଗବତ ମାଝୀ, ସମ୍ପାଦକ ବୈଦ୍ୟନାଥ ମାଝୀ, ଡାକ୍ତର ଦେବେନ୍ଦ୍ର ଟୁଡୁ, ପୂର୍ବତନ ବ୍ୟାଙ୍କ ପ୍ରବନ୍ଧକ ମଙ୍ଗଲ ମାଝୀ, ପ୍ରାକ୍ତନ ଅବକାରୀ ଏସସି ଚନ୍ଦ୍ର ମୋହନ ବାସ୍କେ, ସିଡିପିଓ ବିନ୍ଦୁ ଟୁଡୁ, କୋଷାଧ୍ୟକ୍ଷ ଲମ୍ବୋଧର ସୋରେନ ଏବଂ ରାମଚନ୍ଦ୍ର ମାଝୀ ଉପସ୍ଥିତ ରହି ଶିଖାଙ୍କୁ ଉତ୍ସାହିତ କରିଥିଲେ।
ସମ୍ପାଦକୀୟ ମନ୍ତବ୍ୟ: ସିମିଳିପାଳରୁ ସ୍ୱପ୍ନର ହିମାଳୟ
ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଦେବେନ୍ଦ୍ରନାଥ ଟୁଡୁଙ୍କ ଭାଷାରେ— ଶିଖା ମାଝୀ ଆଜି ମୟୂରଭଞ୍ଜର ପ୍ରତିଟି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅସଲି ପ୍ରେରଣା।
ବଡ଼ ବଡ଼ କୋଚିଂ ସେଣ୍ଟର, ଲକ୍ଷ ଲକ୍ଷ ଟଙ୍କାର ଫିସ୍ ଏବଂ ନିଟ୍ ପରୀକ୍ଷାର ଭିଡ଼ ଭିତରେ, ଶିଖାଙ୍କ ଏହି ସଫଳତା ଆମକୁ ଶିଖାଏ ଯେ ସ୍ୱପ୍ନ ଦେଖିବା ପାଇଁ କୋଠାବାଡ଼ିର ଆବଶ୍ୟକତା ନାହିଁ, ଆବଶ୍ୟକତା ରହିଛି ନିଜ ଲକ୍ଷ୍ୟ ପ୍ରତି ଅଚଳ ନିଷ୍ଠା। ସିମିଳିପାଳ ପାଦଦେଶର ନଡ଼ାଛପର ଘରୁ ବାହାରି ଡାକ୍ତରୀ କଲେଜ ଆଡ଼କୁ ବଢ଼ିଥିବା ଶିଖାଙ୍କ ପାଦ ଆଜି ଅନେକ ଆଦିବାସୀ ଝିଅଙ୍କ ପାଇଁ ଆକାଶ ଛୁଇଁବାର ସାହସ ସାଜିଛି।
