କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପରେ ବାରବାଙ୍କ ଘାଟିରେ ଭୂସ୍ଖଳନ। ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜମାର୍ଗର ବାରବାଙ୍କ ଘାଟିରେ ଗତ ରାତିରେ ପାହାଡ଼ରୁ ମାଟି ଅତଡ଼ା ଧସି ରାଜପଥର ଗୋଟିଏ ପାର୍ଶ୍ୱର ଅଧା ଅଂଶ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହୋଇଛି।
ଭୂସ୍ଖଳନ ପରେ ରାଜପଥରେ ମାଟି ଜମି ରହିଥିବାରୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କେନ୍ଦୁଝର ପୁଲିସ ପରାମର୍ଶ ଦେଇଛି। ବିଶେଷକରି ଭଦ୍ରାସାହି ପଟୁ ରାଜାମୁଣ୍ଡା ଦିଗକୁ ଯାଉଥିବା ଯାତ୍ରୀ ଓ ଚାଳକମାନେ ଘାଟି ଅଞ୍ଚଳରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି।
ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ବଡ଼ବିଲ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ପାଣି ଜମିବା ସହ ଡ୍ରେନେଜ୍ ବ୍ୟବସ୍ଥା ମାଧ୍ୟମରେ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରିନାହିଁ। ଫଳରେ ଡେଲି ମାର୍କେଟ ସମେତ ବିଭିନ୍ନ ୱାର୍ଡରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି।