ଘରୋଇ କଳହ ପରେ ଯୁବକଙ୍କ ମୃତ୍ୟୁ, କଲମପୁର ପୁଲିସର ତଦନ୍ତ ଜାରୀ: କଳାହାଣ୍ଡି
କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଧୀନ କର୍ମେଲି ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା। ଘରୋଇ କଳହ ପରେ ଯୁବକ ଜଣକ ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ଘଟଣାରେ କଲମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଘଟଣା ପୂର୍ବରୁ ସୁମନ୍ତ ମଦ୍ୟପାନ କରି ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିବା କୁହାଯାଉଛି। ପରେ ସେ ଘରୁ ବାହାରି ଯାଇଥିବା ବେଳେ ଗାଁ ନିକଟରେ ତାଙ୍କ ମୃତଦେହ ଠାବ ହୋଇଥିଲା। ଖବର ପାଇ କଲମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲା। ଶୁକ୍ରବାର ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ଅପରାହ୍ନ ପ୍ରାୟ ୩ଟା ସମୟରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ଏନେଇ କଲମପୁର ଥାନାରେ କେସ୍ ନମ୍ବର ୧୫ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଏସ୍ଆଇ ନାନକ ସାହୁଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମସ୍ତ ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି।
କଳାହାଣ୍ଡି ଭବାନୀପାଟଣା ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ