ତେଲେଙ୍ଗାନାରୁ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ : ଗୋଲାମୁଣ୍ଡା,କଳାହାଣ୍ଡି ||
ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁର ବିକାଶ ଚନ୍ଦ୍ର ଜାଲ (୨୮)। ତାଙ୍କ ମୃତଦେହକୁ ତେଲେଙ୍ଗାନାରୁ ନିଜ ଗାଁକୁ ଆଣିବାରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ସହଯୋଗର ହାତ ବଢ଼ାଇଛି।
ସୂଚନା ଅନୁଯାୟୀ, ବିକାଶ ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନାର ରାମଗୁଣ୍ଡମକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ବାଇକ୍ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ପିଟାଲରେ ରହିଥିଲା।
ଆର୍ଥିକ ଅନାଟନ ଯୋଗୁଁ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ପରିବାର ସକ୍ଷମ ନଥିଲେ। ଏନେଇ ଗ୍ରାମବାସୀ ସୋସିଆଲ ମିଡିଆରେ ସହାୟତା ପାଇଁ ନିବେଦନ କରିଥିଲେ। ଖବର ପାଇ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ପଦକ୍ଷେପ ନେଇଥିଲେ। ଗ୍ରାମର ଧର୍ମେନ୍ଦ୍ର ଜାଲ, ଭକ୍ତରାମ ଓ ଡମ୍ବରୁଧର ଜାଲଙ୍କ ସହ ଆଲୋଚନା ପରେ ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଫ୍ରିଜର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା।
ଶନିବାର ବିକାଶଙ୍କ ମୃତଦେହ ଘୋଟିଆ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବିକାଶଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି। ସେ ପଛରେ ସ୍ତ୍ରୀ ଓ ଏକ ଛୋଟ ପୁଅକୁ ଛାଡ଼ି ଯାଇଛନ୍ତି। ଦୁର୍ଦ୍ଦିନ ସମୟରେ ମୃତଦେହକୁ ଗାଁକୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳବାସୀ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି।
କବିରାଜ ଦୁର୍ଗାଙ୍କ ରିପୋର୍ଟ