ଭାରତୀୟ ସେନାକୁ ରାଖୀ ପଠାଇଲେ ସ୍କୁଲର ଛାତ୍ରଛାତ୍ରୀ: ଭବାନୀପାଟଣା ||
ପବିତ୍ର ରକ୍ଷାବନ୍ଧନ ଅବସରରେ ଦେଶର ସୀମାରେ ନିୟୋଜିତ ବୀର ଯବାନମାନଙ୍କୁ ରାଖୀ ପଠାଇ ଦେଶପ୍ରେମର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶର ସୁରକ୍ଷାରେ ନିୟୋଜିତ ଭାରତୀୟ ସେନାର ଯବାନମାନଙ୍କ ପାଇଁ ରାଖୀ ପଠାଇଛନ୍ତି।
ନିଜ ପରିବାରଠାରୁ ଦୂରରେ ରହି ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କୁ ଭାଇ ଭାବେ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ ରାଖୀ ସହ ସେମାନଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରିଛନ୍ତି। ଏହି ରାଖୀଗୁଡ଼ିକୁ ଡାକ ଯୋଗେ ନୂଆଦିଲ୍ଲୀସ୍ଥିତ ସେନା ମୁଖ୍ୟାଳୟକୁ ପଠାଯାଇଛି।
ଏଭଳି ପ୍ରୟାସ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଭାଇଚାରା ଓ ଭାରତୀୟ ସେନା ପ୍ରତି ସମ୍ମାନ ଭାବନା ଅଧିକ ସୁଦୃଢ଼ ହେବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶିବରାମ ନାୟକ କହିଥିଲେ। ପର୍ବପର୍ବାଣୀ ସମୟରେ ପରିବାରଠାରୁ ଦୂରରେ ରହୁଥିବା ଯବାନମାନଙ୍କ ନିକଟରେ ଛାତ୍ରଛାତ୍ରୀଙ୍କ ଏହି ସ୍ନେହର ପ୍ରତୀକ ରାଖୀ ପହଞ୍ଚିଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ଏଭଳି ଦେଶାତ୍ମବୋଧକ ଓ ମାନବିକ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଭବାନୀପାଟଣା ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ