ଦୃଷ୍ଟି ଆଢୁଆଳରେ ବଡ ସିନ୍ଦେର ଜଳପ୍ରପାତ | ଅବହେଳିତ ଅବସ୍ଥା ରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ||
ଥୁଆମୂଳ ରାମପୁର (KML): ପ୍ରକୃତିର କୋଳରେ ଲୁଚି ରହିଛି କଳାହାଣ୍ଡିର ଆଉ ଏକ ଅପୂର୍ବ ପ୍ରାକୃତିକ ସମ୍ପଦ—ବଡ ସିନ୍ଦେର ଜଳପ୍ରପାତ। ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଗ୍ରାମର ଭୂତଗୁଡା ନିକଟରେ ଥିବା ଏହି ଜଳପ୍ରପାତ ବେଣାଖମାର ସଂରକ୍ଷିତ ଜଙ୍ଗଲର ସବୁଜିମା ମଧ୍ୟରେ ନିଜର ମନୋମୁଗ୍ଧକର ରୂପରେ ଶୋଭା ପାଉଛି।ପାହାଡ଼ିଆ ଶିଳାଖଣ୍ଡ ଦେଇ ଧଳା ଜଳଧାରା ତଳକୁ ଖସିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। ଚାରିପଟେ ଘଞ୍ଚ ଜଙ୍ଗଲ, ପାହାଡ଼ ଓ ଝରଣାର ଗର୍ଜନ ଏଠାକାର ପରିବେଶକୁ କରିଛି ଅତ୍ୟନ୍ତ ମନୋରମ।
ଭବାନୀପାଟଣାରୁ ପ୍ରାୟ ୧୧୦ କିଲୋମିଟର ଓ ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରୁ ପ୍ରାୟ ୩୫ କିଲୋମିଟର ଦୂରରେ ରହିଛି ଏହି ଜଳପ୍ରପାତ। ମହୁଲପାଟଣା ଦେଇ ଖମାରପଦର ଓ ଭୂତଗୁଡା ଯିବାକୁ ପଡ଼ୁଥିବାରୁ ଦୁର୍ଗମ ରାସ୍ତା ଯୋଗୁଁ ଏହା ଏବେ ବି ବ୍ୟାପକ ଭାବେ ଲୋକଲୋଚନକୁ ଆସିପାରିନାହିଁ। ତେବେ ବଣଭୋଜି ଋତୁ ସୀମିତ ନ ରହି ବର୍ଷର ବିଭିନ୍ନ ସମୟରେ ଏଠାକୁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ ଆସୁଛନ୍ତି। କଳାହାଣ୍ଡି ସମେତ ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାରୁ ମଧ୍ୟ ଲୋକଙ୍କ ଆଗମନ ବଢ଼ୁଛି। ଆବଶ୍ୟକ ଭିତ୍ତିଭୂମିର ଅଭାବ ବଡ ସିନ୍ଦେର ପର୍ଯ୍ୟଟନ ବିକାଶ ପାଇଁ ସର୍ବପ୍ରଥମେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଆବଶ୍ୟକ। ଏଥିସହିତ ଜଳପ୍ରପାତ ନିକଟରେ ସୁରକ୍ଷିତ ଚଲାପଥ, ବିଶ୍ରାମସ୍ଥଳୀ, ପାନୀୟଜଳ, ଶୌଚାଳୟ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବା ଦରକାର।
ବଢ଼ିବ ରୋଜଗାରର ସୁଯୋଗ
ବଡ ସିନ୍ଦେକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଗଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ଗାଇଡ୍, ଖାଦ୍ୟ ବ୍ୟବସାୟ, ହସ୍ତଶିଳ୍ପ ଓ ଅନ୍ୟାନ୍ୟ ପର୍ଯ୍ୟଟନଭିତ୍ତିକ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ। ପ୍ରକୃତିର ସୁରକ୍ଷାକୁ ଅକ୍ଷୁଣ୍ଣ ରଖି ରାସ୍ତାଘାଟ ଓ ଆବଶ୍ୟକ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ପ୍ରଚାରପ୍ରସାର କରାଗଲେ ବଡ ସିନ୍ଦେ କଳାହାଣ୍ଡିର ଏକ ପ୍ରମୁଖ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଭାବେ ନୂଆ ପରିଚୟ ପାଇପାରିବ।
କଳାହାଣ୍ଡି ଭବାନୀପାଟଣା ରୁ କବିରାଜ ଦୁର୍ଗାଙ୍କ ରିପୋର୍ଟ