କଳାହାଣ୍ଡି:- ଗତକାଲି ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୭ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତର ଉଲିଗୁଞ୍ଜେର ଗାଁର ଲାଗେସ ମାଝୀ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ରାତିରେ ଶୋଇଥିବା ବେଳେ ଲାଗେସଙ୍କୁ ସାପ କାମୁଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଲାଗେସଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଦିନ ରାତିରେ ବିଦ୍ୟୁତ କାଟ କରାଯାଉଥିବାରୁ ଲୋକେ ଅନ୍ଧାରରେ ରହୁଛନ୍ତି। ଏହା ଫଳରେ ସାପ କାମୁଡ଼ା ଭଳି ଘଟଣା ବଢ଼ୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ଘଟଣାକୁ ରୋକିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
Report:- କବିରାଜ ଦୁର୍ଗା, କଳାହାଣ୍ଡି ଭବାନୀପାଟଣା
