କଟକ(KMP LIVE): ଦେଶପ୍ରେମ କେବଳ ସହରର ରାଜପଥରେ ନୁହେଁ, ମାଟି ଓ ଚାଷ ଜମି ସହ ମଧ୍ୟ ଯେ ଗଭୀର ଭାବେ ଜଡ଼ିତ—ଏହାର ଏକ ନିଆରା ଉଦାହରଣ ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଚାଷୀମାନେ। ଧାନ କ୍ଷେତ ମଝିରେ ଜାତୀୟ ପତାକା ଉତ୍ତୋଳନ କରି ସେମାନେ ପାଳନ କରିଛନ୍ତି ସ୍ୱାଧୀନତା ଦିବସ।
ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତ୍ତକାଇ ଓ ଜିଗିନିପୁର ପଞ୍ଚାୟତର ଚାଷୀମାନେ ନିଜ ଚାଷ ଜମିରେ ତ୍ରିରଙ୍ଗା ଉଡ଼ାଇ ଦେଶପ୍ରେମର ଏକ ଅନନ୍ୟ ବାର୍ତ୍ତା ଦେଇଛନ୍ତି। ଧାନ କ୍ଷେତ ମଝିରେ ଫରଫର ହୋଇ ଉଡ଼ୁଥିବା ତ୍ରିରଙ୍ଗା ଏହି ଅଞ୍ଚଳରେ ସୃଷ୍ଟି କରିଥିଲା ଦେଶଭକ୍ତିର ନିଆରା ପରିବେଶ।
ପ୍ରାୟ ୧୦ରୁ ୧୧ ଜଣ ଚାଷୀ ମିଶି ‘ଜୟ ଭାରତ କିସାନ ଦଳ’ ନାମରେ ଏକ ସଂଗଠନ ଗଢ଼ିଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୫ରେ ଏହି ଚାଷୀମାନେ ନିଜ ଚାଷ ଜମିରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଧାନ ତଳି ଉପାଡ଼ିବାର ଏକ ନିଆରା ପରମ୍ପରା ମଧ୍ୟ ପାଳନ କରୁଛନ୍ତି। ମାଟିକୁ ମା’ ଭାବେ ଗ୍ରହଣ କରି ଜୀବନ ଜୀବିକା ନିର୍ବାହ କରୁଥିବା ଏହି ଚାଷୀ ଭାଇମାନେ ନିଜ ଚାଷ ଜମିକୁ ହିଁ ସ୍ୱାଧୀନତା ଦିବସ ପାଳନର ମଞ୍ଚ କରିଛନ୍ତି। ଏହି ଦୃଶ୍ୟ କେବଳ ଦେଶପ୍ରେମର ପ୍ରତୀକ ନୁହେଁ, ବରଂ ଚାଷୀ, ମାଟି ଓ ମାତୃଭୂମି ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ସୁନ୍ଦର ପ୍ରତିଛବି। ଚାଷୀଙ୍କ ଏହି ନିଆରା ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।