ବେଲୁନ୍ ବାଲା [କ୍ଷୁଦ୍ରଗଳ୍ପ ]
ମୋତି,ଦଶବର୍ଷର ପିଲାଟିଏ। ତା’ର ନିଜ ଉଚ୍ଚତାରୁ ତିନିଫୁଟ ଅଧିକ ଉଚ୍ଚ ବାଡିଟିଏରେ ବେଲୁନ୍ ବାନ୍ଧି ବୁଲୁଥାଏ। ବିକ୍ରିକରେ। ଛିଣ୍ଡା ପ୍ୟଣ୍ଟ ପକେଟରେ ପଇସା ରଖେ। ତା’ର ପ୍ୟଣ୍ଟ ବା କ୍ୟସ୍ ବାକ୍ସ ବାରମ୍ବାର ଅଣ୍ଟାର ତଳକୁ ଖସି ପଡୁଥାଏ।
ମୋତିପରି ଛୋଟ ପିଲାମାନେ ତାଠାରୁ ବେଲୁନ୍ କିଣନ୍ତି। ତାହାରି ଆଗରେ ଖେଳି ଖେଳି ଚାଲି ଯାଆନ୍ତି। କିନ୍ତୁ ମୋତି କେବେ ବେଲୁନ୍ ରେ ଖେଳି ପାରେନାହିଁ।କାରଣ ତା’ର ମାଆ ଗାଲକୁ ପୁଚୁକା କରି ବେଲୁନ୍ ରେ ପବନ ପୁରେଇଲା ବେଳେ କହେ ,ଇଏ ଆମର ବେପାର,ଲକ୍ଷ୍ମୀ। ଏଥିରେ ଖେଳିବା ମନା।
ମୋତି,ତାର ବାପା ମାଆ ଆଉ ଟିକି ଭଉଣୀ ସମେତ ବାଲେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ରହନ୍ତି। ଗୋଟେ ଫ୍ୟାକ୍ଟ୍ରି ପାଚେରିର ବାହାର ପଟକୁ ଛାଉଣି କରି ଘର କରିଛନ୍ତି। ସେଠି ସେମାନେ ଅନେକ ଦିନଧରି ରହି ଯାଇଥିଲେ। ସେଇଠି ହିଁ ମୋତି ଓ ତାର ସାନ ଭଉଣୀ ଜନ୍ମ ହୋଇଥିଲେ।
ସେମାନେ ଏବେ ସେ ଯାଗା ଛାଡିଦେଇ ଓଭର୍ ବ୍ରିଜ୍ ତଳକୁ ଚାଲି ଆସିଛନ୍ତି। ଗୋଟେ ଉଚ୍ଚା ଗୋଡଥିବା କ୍ୟାବିନ ତଳକୁ। ସେଇଟା ପଛକୁ ମୁହଁ କରି ପଡି ରହିଥିଲା। ସେମାନେ ଆସି କ୍ୟବିନଟିର ଗୋଡ ତଳକୁ ମାଟି ପର୍ଯ୍ୟନ୍ତ ଚାରିକଡରେ ଜରି ଆଉ କନା ଟାଙ୍ଗିଦେଲେ,ଗୋଟେ ସୁନ୍ଦର କୋଠରୀ ହୋଇଗଲା। ବସିକରି ଖାଇ ହେଉଛି। ଆରାମରେ ଶୋଇ ହେଉଛି। କିନ୍ତୁ ଠିଆହେବା ଅସମ୍ଭବ।
ଏଠି ଅନେକ ସୁବିଧା ହେବ। ମୋତି ସକାଳୁ ସକାଳୁ ଖୁବ ଶିଘ୍ର ବସ୍ ଷ୍ଟାଣ୍ଡ ପହଞ୍ଚି ଯାଇ ପାରିବ। ରାତିରେ ଫେରିବା ବେଳକୁ ବେଶିବାଟ ଚାଲିବାପାଇଁ ପଡିବ ନାହିଁ।
ସେଦିନ ରାତିରେ ମୋତିର ପରିବାର ଶୋଇ ପଡିଛନ୍ତି। ରାତି ବହୁତ ହୋଇ ଯାଇଥାଏ। ଅଚାନକ୍ ବିଜୁଳି ଘଡଘଡି ମାରି ଖୁବ ଜୋର୍ ରେ ବର୍ଷା ଆରମ୍ଭ ହୋଇଗଲା। ସେ ନୂଆ ଘରେ ରହିବା ପରେ ଇଏ ପ୍ରଥମ ବର୍ଷା। ଅନେକ ସମୟ ଧରି ବର୍ଷା ହେବାପରେ ଜଣାଗଲା,ସେ ଘର ଭିତର ଦେଇ ପାଣିର ଗୋଟେ ସ୍ରୋତ ବହି ଯାଉଛି।
ମୋତି ଆଉ ତାର ବାପା ମାଆ ଉଠି ପଡିଲେ। କାଲି ସକଳୁ ମୋତି ଯିବାପାଇଁ ବେଲୁନ ଫୁଲାଯାଇ ଗୋଟେ କାଗଜ ପେଟିରେ ରଖା ଯାଇଥିଲା। ପାଣିର ସ୍ରୋତରେ ପେଟି ଓଲଟିଯାଇ ବେଲୁନ୍ ଗୁଡିକ ଭାସି ଯାଉଛି। ତିନିଜଣ ସାରା, ଭାସିଗଲା ଭାସିଗଲା ପାଟିକରି ବେଲୁନ୍ ଗୋଟାଇବାରେ ଲାଗିପଡିଲେ।
ମୋତି ଦୌଡିଯାଇ ସ୍ରୋତର ଶେଷମୁଣ୍ଡ ପର୍ଯ୍ୟନ୍ତ ଚାଲିଗଲା। ହେଲେ ମାତ୍ର ତିନିଟି ବେଲୁନ୍ ପାଇଲା। ଆଉସବୁ ଭାସି ଯାଇଛି। ଶେଷଯାଏ ମୋତି ଖୋଜି ଖୋଜି ଗଲା। ପଣି ସହିତ ସବୁ ବେଲୁନ ଭାସିଯାଇଛି ରାସ୍ତାକଡର ସେ ଗଭୀର ଗଣ୍ଡ ଭିତରକୁ। ସେଠି ପାଣି ଭଉଁରୀ ଖେଳୁଛି। ତା ସହିତ ବେଲୁନ୍ ଗୁଡିକ ଚକ୍କର କାଟୁଛନ୍ତି। ଷ୍ଟ୍ରିଟ ଲାଇଟ୍ ରେ ପରିଷ୍କାର ଦେଖା ଯାଉଛି। କନ୍ତୁ ଆଣି ହେବନାହିଁ।
ଗଲା,ସେ ଆଉ ମଳିବ ନାହିଁ। ସେମିତି ଭଉଁରୀ ଖେଳୁଥାଏ। ମୋତି ବର୍ଷାରେ ଭିଜି ଭିଜି ଠିଆ ହୋଇଥାଏ। ତା’ ବେଲୁନ୍ ର ଖେଳ ଦେଖୁଥାଏ। ସୁନ୍ଦର ଦେଖା ଯାଉଥାଏ। ବେଲୁନ୍ ସବୁଠାରେ ସୁନ୍ଦର।
ମୋତିର ହଠାତ୍ ଗୋଟେକଥା ମନେ ପଡିଲା । ଛୋଟ ପିଲାଟିଏ ଥରେ ତାକୁ ପଚାରୁଥିଲା,ହେ ବେଲୁନ୍ ବାଲା,ତୋର ତ ଭାରି ମଜା ହେଉଥିବ। ଆମଠାରୁ ବହୁତ ବେଶି ବେଲୁନ୍ ରେ ତୁ ଖେଳୁଥିବୁ।
ମୋତି ଫିକ୍ କିନା ହସିଦେଲା,ହଁ ସେ ଆଜି ବହୁତ ବେଶି ବେଲୁନ୍ରେ ଖେଳୁଛି। ଆଜି ତାର ଖେଳିବାର ଦିନ।
ଗାଳ୍ପିକ:- ହରେକୃଷ୍ଣ ସାହୁ, ଯାଜପୁର