ବାରିପଦା:- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଦେଶଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ସର୍ବପ୍ରଥମେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ସ୍ଥିତ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥି୍ଲା । ପରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣରେ ସ୍ୱାଧୀନତା କେବଳ ଏକ ଐତିହାସିକ ଉପଲବ୍ଧି ନୁହେଁ, ଏହା ଆମ ଉପରେ ନ୍ୟସ୍ତ ଏକ ମହତ୍ତର ଦାୟିତ୍ୱ ଏବଂ ଦେଶର ଯୁବପିଢ଼ି ଜ୍ଞାନ, ଗବେଷଣା, ନୈତିକତା ଓ ସେବା ମାଧ୍ୟମରେ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବା ଆବଶ୍ୟକ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ସରକାରୀ କାର୍ଯ୍ୟ ଯୋଗୁଁ ବିଶ୍ୱବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ନିଜର ସନ୍ଦେଶରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ବିଶ୍ୱବିଦ୍ୟାଳୟ କେବଳ ଜ୍ଞାନ ପ୍ରଦାନର କେନ୍ଦ୍ର ନୁହେଁ, ବରଂ ଦାୟିତ୍ୱବାନ ନାଗରିକ ଓ ରାଷ୍ଟ୍ର ନିର୍ମାତା ସୃଷ୍ଟି କରିବାର ଏକ ପ୍ରମୁଖ ମଞ୍ଚ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶାରୀରିକ କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ଓ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀ ମାନେ ପରିଚାଳନା କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ୍ ଏକାଦଶ ଓ ରେଜିଷ୍ଟ୍ରାର୍ ଏକାଦଶଙ୍କ ମଧ୍ୟରେ ହୋଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍ବଲ୍ ମ୍ୟଚ୍ରେ ରେଜିଷ୍ଟ୍ରାର୍ ଏକାଦଶ ବିଜୟୀ ହୋଇଥିଲା ।