ପୁରୀ ସଦର ଅଞ୍ଚଳର ଗୋପାଳପୁର ଗାଁରେ ବଡ଼ଧରଣର ଗଞ୍ଜେଇ ଜବତ ଘଟଣା ସାମ୍ନାକୁ ଆସିଛି। ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରି ୧୭୬ ପ୍ୟାକେଟ୍ରେ ଥିବା ପ୍ରାୟ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ସାହୁ (୫୫) ଏବଂ କାର୍ତ୍ତିକେଶ୍ୱର ସାମନ୍ତରାୟ (୫୬)। ପୋଲିସ ସୂଚନା ଅନୁସାରେ, ଫାର୍ମାସି କଲେଜ ନିକଟସ୍ଥ ଏକ ଘରେ ବିପୁଳ ପରିମାଣର ମାଦକଦ୍ରବ୍ୟ ରଖାଯାଇଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ପେଣ୍ଠକଟା ମେରାଇନ୍ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା।
ପୋଲିସର ପ୍ରାଥମିକ ସନ୍ଦେହ ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତ ଗଞ୍ଜେଇକୁ ପ୍ୟାକେଟ୍ କରି ବିତରଣ କରିବା ପାଇଁ ଭଡ଼ା ଘରେ ମହଜୁଦ୍ ରଖିଥିଲେ। ଏହି ଘରଟି ଜଣେ ରିଅଲ୍ ଇଷ୍ଟେଟ୍ ଠିକାଦାରଙ୍କର ହୋଇଥିବା ଏବଂ ଅଭିଯୁକ୍ତମାନେ ଏହାକୁ ଭଡ଼ାରେ ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଗଞ୍ଜେଇ ସହ ବିଡ଼ା ବିଡ଼ା ଟଙ୍କା
ଗଞ୍ଜେଇ ଜବତ ପରେ ପୋଲିସ ଅଭିଯୁକ୍ତଙ୍କ ସହ ସମ୍ପର୍କିତ ଅନ୍ୟ ଏକ ଘରେ ମଧ୍ୟ ଚଢ଼ାଉ କରିଥିବା ଖବର ମିଳିଛି। ସେଠାରୁ ୫୦୦, ୨୦୦ ଓ ୧୦୦ ଟଙ୍କିଆ ବିଡ଼ା ବିଡ଼ା ନୋଟ୍ ଜବତ ହୋଇଥିବା ସୂଚନା ରହିଛି। ଏହି ଟଙ୍କା ଗଞ୍ଜେଇ ବିକ୍ରିରୁ ଆସିଥିବା ସନ୍ଦେହ କରାଯାଉଛି। ଟଙ୍କାର ପରିମାଣ ନିର୍ଦ୍ଧାରଣ ପାଇଁ ମେସିନ୍ରେ ଗଣତି ଚାଲିଥିବା ଖବର ମଧ୍ୟ ପ୍ରକାଶ ପାଇଛି।
ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଗିରଫ ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ନିଶା କାରବାରରେ ସମ୍ପୃକ୍ତ ଥିବା କୁହାଯାଇଛି। ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହି କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଖୋଜିବା ପାଇଁ ପୋଲିସ, ଗଞ୍ଜେଇ ଯୋଗାଣ ଉତ୍ସ ଓ ବଡ଼ ନେଟୱାର୍କ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି।