ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଆଜି ଅନୁଷ୍ଠିତ ହୋଇଛି। ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୁଇ ବର୍ଷର କଠୋର ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଥିବା ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ୭୦ ଜଣ ମହିଳା ଅଧିକାରୀ ରହିଛନ୍ତି।
ମୁଖ୍ୟମନ୍ତ୍ରୀ, ଆଧୁନିକ ଅପରାଧ ଓ ସାଇବର ଠକେଇର ମୁକାବିଲା ପାଇଁ ‘SMART POLICING’ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନବନିଯୁକ୍ତ ଅଧିକାରୀଙ୍କୁ ଦୁର୍ନୀତିଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା, ଶୃଙ୍ଖଳା ବଜାୟ ରଖିବା ଓ କ୍ଷମତାର ଅପବ୍ୟବହାର ନକରିବାକୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି।
ସମାରୋହରେ ଉତ୍କର୍ଷ ପ୍ରଦର୍ଶନ କରିଥିବା କ୍ୟାଡେଟ୍ମାନଙ୍କୁ ସମ୍ମାନିତ କରାଯାଇଥିଲା। ପି. ନଳିନୀ ରାଓଙ୍କୁ ସର୍ବାଧିକ ନମ୍ବର ପାଇଁ ରାଜ୍ୟପାଳଙ୍କ ପଦକ, ଟ୍ରଫି ଓ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସମାରୋହରେ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଏକାଡେମୀ ନିର୍ଦ୍ଦେଶକ ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।