କଳାହାଣ୍ଡିର ୧.୬୮ ଲକ୍ଷ ଚାଷୀଙ୍କୁ CM କିସାନ ସହାୟତା, ଭୂମିହୀନ କୃଷକ ପରିବାର ଉପକୃତ ||
ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନା ଅଧୀନରେ ଜିଲ୍ଲାର ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ମୋଟ ୩୩ କୋଟି ୮୨ ଲକ୍ଷ ୧୮ ହଜାର ଟଙ୍କାର ସହାୟତା ରାଶି ପ୍ରତ୍ୟକ୍ଷ ଭାବେ ପ୍ରଦାନ କରାଯାଇଛି।
ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକଙ୍କ ଉନ୍ନତିକୁ ରାଜ୍ୟର ସାମଗ୍ରିକ ବିକାଶର ମୁଖ୍ୟ ଆଧାର ବୋଲି କହିଥିଲେ।
ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ, “କୃଷକଙ୍କ ଉନ୍ନତି ହିଁ ରାଜ୍ୟର ପ୍ରକୃତ ଉନ୍ନତି। ସିଏମ୍ କିସାନ କେବଳ ଆର୍ଥିକ ସହାୟତା ନୁହେଁ, ଏହା କୃଷକଙ୍କ ସମ୍ମାନ ଓ ସ୍ବାଭିମାନର ପ୍ରତୀକ।”
ସେ ଭୂମିହୀନ କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟାନିଧି ବୃତ୍ତି ଯୋଜନାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଆର୍ଥିକ ଅଭାବ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ପରିବାରର ମେଧାବୀ ସନ୍ତାନମାନଙ୍କୁ ଏହି ଯୋଜନା ଉଚ୍ଚଶିକ୍ଷାର ସୁଯୋଗ ଦେବା ସହ ସେମାନଙ୍କ ସ୍ବପ୍ନ ପୂରଣରେ ସହାୟକ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ଶ୍ରୀ ପୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଜିତ କୁମାର ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଥିଲେ।
ସିଏମ୍ କିସାନ ଯୋଜନାରେ ମିଳିଥିବା ସହାୟତା ରାଶିକୁ କୃଷକମାନେ ସ୍ବାଗତ କରିବା ସହ ଏହା ଚାଷ କାର୍ଯ୍ୟରେ ଆର୍ଥିକ ସହାୟତା ଯୋଗାଇବ ବୋଲି କହିଥିଲେ। କୃଷକଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶ ଦିଗରେ ଏହି ପଦକ୍ଷେପ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।