କଳାହାଣ୍ଡିରେ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ : ଶୂନ୍ୟପଦ ପୂରଣ, ମାତୃ-ଶିଶୁ ମୃତ୍ୟୁହାର ହ୍ରାସ ଓ ଦୂରଦୁରାନ୍ତରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ଗୁରୁତ୍ୱ ||
ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସିଏମ୍ କିସାନ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ୍ ଏନିମିଆ ନିରାକରଣ, ଟୀକାକରଣ ସମେତ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବସମ୍ବଳ, ସ୍ୱାସ୍ଥ୍ୟ ସୂଚକାଙ୍କ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ପୂର୍ଣ୍ଣ ଟୀକାକରଣ, ରକ୍ତହୀନତା ନିୟନ୍ତ୍ରଣ ଓ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ନେଇ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ, ୧୭ଟି ସିଏଚ୍ସି, ୪୫ଟି ଆମ ହସ୍ପିଟାଲ ପିଏଚ୍ସି ଏବଂ ୨୪୧ଟି ଆମ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଥିବା ସୂଚନା ଦିଆଯାଇଥିଲା।
ମନ୍ତ୍ରୀ ମହାଲିଙ୍ଗ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ସହ ଖାଲି ପଡ଼ିଥିବା ପଦବୀ ପୂରଣ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ମ୍ୟାଲେରିଆ ଓ ସିକେଲ୍ ସେଲ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଏବଂ ଦୂରଦୁରାନ୍ତ ଅଞ୍ଚଳର ଲୋକଙ୍କ ନିକଟରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ।