ଟ୍ରେଡିଂ କମ୍ପାନୀରେ ଟଙ୍କା ନିବେଶ କଲେ ପ୍ରତିମାସ ୧୦ ପ୍ରତିଶତ ଲାଭ ମିଳିବାର ପ୍ରଲୋଭନ ଦେଖାଇ ପ୍ରାୟ ୨ କୋଟି ୨୧ ଲକ୍ଷ ଟଙ୍କା ନିବେଶ କରାଇବା ଓ ଠକେଇ ଅଭିଯୋଗରେ ଖାରବେଳ ନଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ସ୍ମୃତି ରଞ୍ଜନ ବେହେରା, ତାଙ୍କ ଭାଇ ସୌମ୍ୟ ରଞ୍ଜନ ବେହେରା ଏବଂ କମ୍ପାନୀ ମ୍ୟାନେଜର ସୁଚିତ୍ରା ସାମଲ ମିଶି ‘ଇଷ୍ଟ ଏଜ୍ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ଟ୍ରେଡିଂ କମ୍ପାନୀ ପରିଚାଳନା କରୁଥିଲେ। କମ୍ପାନୀ ଟ୍ରେଡିଂ କାରବାର କରୁଥିବା ଦର୍ଶାଇ ଏଥିରେ ଟଙ୍କା ନିବେଶ କଲେ ପ୍ରତିମାସ ନିବେଶ ରାଶି ଉପରେ ୧୦ ପ୍ରତିଶତ ଲାଭ ମିଳିବ ବୋଲି ନିବେଶକମାନଙ୍କୁ ଆଶ୍ୱାସନା ଦିଆଯାଇଥିଲା।
ଏଭଳି ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ନିବେଶକଙ୍କ ବିଶ୍ୱାସ ଜିତିବା ସହ ଅଧିକ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି। ଏହାକୁ ବିଶ୍ୱାସ କରି ବହୁ ସଂଖ୍ୟକ ଲୋକ କମ୍ପାନୀରେ ବିପୁଳ ପରିମାଣର ଟଙ୍କା ନିବେଶ କରିଥିଲେ। ଅଭିଯୋଗକାରୀଙ୍କ ସମେତ ଅନ୍ୟ ନିବେଶକମାନଙ୍କ ପକ୍ଷରୁ ପ୍ରାୟ ୨ କୋଟି ୨୧ ଲକ୍ଷ ଟଙ୍କା ନିବେଶ କରାଯାଇଥିବା ଜଣାପଡ଼ିଛି।
ତେବେ ପ୍ରକୃତରେ ଅଭିଯୁକ୍ତମାନେ କେତେ ଟଙ୍କା ଠକେଇ କରିଛନ୍ତି ଏବଂ ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ସେନେଇ ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରି ରହିଛି।