ବିକାଶ ଉଇସଡମ୍ ପାର୍କରେ ‘ଭିକନ୍ ଆଇକ୍ୟୁ-୨୦୨୬’: ପ୍ରଦର୍ଶିତ ହେଲା ୧୦୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ||
ଭବାନୀପାଟଣାସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ବାର୍ଷିକ ବିଜ୍ଞାନ ମେଳା ‘ଭିକନ୍ ଆଇକ୍ୟୁ-୨୦୨୬’ ଶନିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା ଓ ନୂତନ ପରିକଳ୍ପନାକୁ ପ୍ରୋତ୍ସାହନ ଦେବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ, ନର୍ଲାର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଡି. ନାଗେଶ୍ୱର ରାଓ, ନିର୍ଦ୍ଦେଶକ ଡି. ଶ୍ୟାମ, ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ଓ ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ।
ମେଳାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସମେତ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ ୧୦୦ରୁ ଊର୍ଦ୍ଧ୍ୱ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଓ ଶ୍ରେଷ୍ଠ ପ୍ରକଳ୍ପ ଚୟନ ପାଇଁ ୧୦ ଜଣିଆ ବିଚାରକ ମଣ୍ଡଳୀ ନିୟୋଜିତ ହୋଇଥିଲେ।
ଅଧ୍ୟକ୍ଷା ଆରତୀ ମିଶ୍ର ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥି ଓ ବିଚାରକମାନେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଓ ପରିକଳ୍ପନାର ମୂଲ୍ୟାଙ୍କନ କରିଥିଲେ। ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ପୁରସ୍କୃତ କରାଯାଇଥିଲା।
ମୁଖ୍ୟ ଅତିଥି ଶ୍ରୀ କର ତାଙ୍କ ବକ୍ତବ୍ୟରେ ‘ଭିକନ୍ ଆଇକ୍ୟୁ-୨୦୨୬’କୁ ନୂତନ ପିଢ଼ିର ଚିନ୍ତା, ଚେତନା ଓ ପରିକଳ୍ପନାର ଏକ ଉତ୍ସ ବୋଲି ଅଭିହିତ କରିଥିଲେ। ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଲିଡ୍, ବିଭାଗୀୟ ମୁଖ୍ୟ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ରହିଥିଲା। ବହୁ ସଂଖ୍ୟାରେ ଅଭିଭାବକ ମେଳାରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବୈଜ୍ଞାନିକ ପ୍ରକଳ୍ପ ଦେଖି ଉତ୍ସାହିତ ହୋଇଥିଲେ।
ରିପୋର୍ଟ:- କବିରାଜ ଦୁର୍ଗା,ଭବାନୀପାଟଣା