ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନ ଉପଲକ୍ଷେ ‘ଖେଳିବ ଭାରତ, ଜିତିବ ଭାରତ’ ବିଷୟବସ୍ତୁକୁ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ବାରିପଦା ଇଣ୍ଡୋର୍ ଷ୍ଟାଡିୟମ୍ରେ ଲେଭେଲ୍ ୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଏବଂ ଆନ୍ତଃବିଭାଗୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଆଜି ଆରମ୍ଭ ହୋଇଛି କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଆନୁଷ୍ଠାନିକ ଭାବେ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ର ଉଦ୍ଘାଟନ କରିଥିଲେ ।
ଲେଭେଲ୍ ୩.୦ ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ର ସିଙ୍ଗଲ୍ସ ବର୍ଗରେ ୪୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ସେହିପରି ଆନ୍ତଃବିଭାଗୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ୧୬ଟି ଡବଲ୍ସ ଦଳ ଅଂଶଗ୍ରହଣ କରୁଛନ୍ତି । ଦୁଇଦିନିଆ ଏହି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହ ଆସନ୍ତାକାଲି, ୨୯ ଅଗଷ୍ଟରେ ଅନୁଷ୍ଠିତ ହେବ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜୁନିୟର ଫୁଟବଲ୍ କୋଚ୍ ତଥା ସ୍ପୋର୍ଟସ୍ ହଷ୍ଟେଲ୍, ବାରିପଦାର କୋଚ୍-ଇନ୍-ଚାର୍ଜ ଅବନୀ ମୋହନ ମହାନ୍ତି, ମୟୂରଭଞ୍ଜ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍ର ସମ୍ପାଦକ ବିଭୂତି ଭୂଷଣ ଦାସ ଏବଂ ଆନ୍ତର୍ଜାତୀୟ ରଗ୍ବୀ ରେଫରୀ ଦିବ୍ୟରଞ୍ଜନ ଦାସ ଉପସ୍ଥିତ ଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶିଶିର କୁମାର ମୁନ୍ଦୁୟା କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ଏବଂ ଇଣ୍ଡୋର ଷ୍ଟାଡିୟମ୍ର ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।