ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି “ପ୍ରକାଶ” ଗିରଫ :‘ଟାର୍ଗେଟ କିଲିଂ’ ର ଅଭିଯୋଗ !
ରାଉରକେଲା ସହରରେ ବହୁ ଚର୍ଚ୍ଚିତ ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ଗିରଫ ଘଟଣାର ମାଷ୍ଟର ମାଇଣ୍ଡ ପଳାତକ ପ୍ରକାଶ ପାଶ୍ୱାନକୁ ପୁଲିସ ଓଡ଼ିଶାକୁ ଆଣିଛି। ପାନପୋଷ ସର୍କିଟ ହାଉସ୍ରୁ ୪ଟି ବନ୍ଧୁକ ଓ ୯ ରାଉଣ୍ଡ ଗୁଳି ଜବତ ହେବା ସହରର କୁଖ୍ୟାତ ଅପରାଧୀମାନଙ୍କୁ ସଂଗଠିତ କରି ଅପରାଧ ଘଟାଇବା ଯୋଜନାରେ ପ୍ରକାଶ ମୁଖ୍ୟ କାର୍ପଟଦାର ଥିବା ଅଭିଯୋଗ ଆଧାରରେ ପୁଲିସ ତା’ ବିରୋଧରେ ମାମଲା ରୁଜୁ କରିଛି। ଗତ ୧୪ ତାରିଖରେ ରଘୁନାଥପାଲି ପୁଲିସ ପାନପୋଷ ସର୍କିଟ ହାଉସ୍ରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ସମଗ୍ର ଘଟଣା ଉପରୁ କ୍ରମଶଃ ପରଦା ହଟିବାରେ ଲାଗିଥିଲା। ପ୍ରକାଶ ଅପରାଧୀଙ୍କ ଦ୍ୱାରା ‘ଟାର୍ଗେଟ କିଲିଂ’ ଯୋଜନା କରୁଥିବା ସହରରେ ଚର୍ଚ୍ଚା ହୋଇଥିଲା। ବିଜେପିର ପ୍ରକାଶ ଜଣେ ସକ୍ରିୟ ସଦସ୍ୟ। ପୁଣି ସେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ଥିବାରୁ ଦଳରେ ରାଉରକେଲାରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରାୟ ୧୦ ଦିନ ତଳେ ବିଜେପି ପ୍ରକାଶକୁ ଦଳରୁ ନିଲମ୍ବିତ କରି ଦେଇଛି। ସର୍କିଟ ହାଉସ୍ ରୁମ୍ ବୁକ୍ କରିବା ସହିତ ଅପରାଧୀମାନଙ୍କ ସହିତ ପ୍ରତ୍ୟେକ୍ଷ ସମ୍ପର୍କରେ ଥିବା ପୁଲିସ ପ୍ରମାଣ ପାଇଲା ପରେ ଗିରଫ କରିବାକୁ ଉଦ୍ୟମ ଚଳାଇଥିଲା। ମାତ୍ର ଗିରଫଦାରୀ ଭୟରେ ସେ ସହରରୁ ଗତ ୧୯ ତାରିଖରେ ଚମ୍ପଟ୍ ମାରିଥିଲା। ରାଉରକେଲାରୁ ସେ ରାଞ୍ଚି ପଳାଇ ଥିଲା। ପୁଲିସ ତା’ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ପ୍ରକାଶ ରାଞ୍ଚିରୁ ନୂଆଦିଲ୍ଲୀ, ରାଜସ୍ଥାନର ଜୟପୁର ଆଦି ସହରରେ କିଛି ଦିନ ହେଲା ଘୁରି ବୁଲିଥିଲା। ମାତ୍ର ରାଉରକେଲା ପୁଲିସର ୪ଟି ସ୍ୱତନ୍ତ୍ର ଟିମ୍ ତା’ର ପିଛା କରୁଥିଲା। ତେଣୁ ପୁଲିସ ହାତରୁ ବଞ୍ଚିବା ପାଇଁ ବିହାର ସମସ୍ତିପୁର ଦେଇ ପ୍ରକାଶ ନେପାଳ ଖସି ଯିବାକୁ ଯୋଜନା କରୁଥିଲା। ସମସ୍ତିପୁର ନୌରୀନ ରେଲଷ୍ଟେସନରେ ପ୍ରକାଶ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ବିହାର ଏସ୍ଟିଏଫ୍ ହାତରେ ଧରା ପଡ଼ିଯାଇଥିଲା। ବିହାର ପୁଲିସର ସୂଚନା ଆଧାରରେ ଗତକାଲି ରାତିରେ ରାଉରକେଲା ପୁଲିସର ଆଉ ଦୁଇଟି ଟିମ୍ ସେଠାକୁ ଯାଇଥିଲେ। ସେମାନେ ସକାଳେ ସେଠାକାର କୋର୍ଟରେ ହାଜର କରାଇ ରାଉରକେଲା ଆଣିଛନ୍ତି।