ନର୍ଲା ବିଧାୟିକାଙ୍କ ବିରୋଧରେ ସତ୍ୟପାଠ ମାମଲା: ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଜେପି ପ୍ରାର୍ଥୀ !!
୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ବିଜୟୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଭକ୍ତଚରଣ ଦାସଙ୍କୁ ୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ତେବେ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠକୁ ନେଇ ମନୋରମା ମହାନ୍ତିଙ୍କ ବିରୋଧରେ ଭକ୍ତଚରଣ ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ମାମଲା ପ୍ରତ୍ୟାହାର ହୋଇଥିବା ଜଣାପଡ଼ିଛି। ଏବେ ସମାନ ପ୍ରସଙ୍ଗକୁ ନେଇ ନର୍ଲାର ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମନୋରମା ମହାନ୍ତିଙ୍କ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ସମ୍ପର୍କିତ ଅଭିଯୋଗକୁ ନେଇ ଶ୍ରୀ ପଧାନ ଆବେଦନ କରିଥିବା ଜଣାପଡ଼ିଛି। ମାନ୍ୟବର ହାଇକୋର୍ଟ ଶ୍ରୀ ପଧାନଙ୍କ ଆବେଦନକୁ ଗ୍ରହଣ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଆଗାମୀ ଦିନରେ କୋର୍ଟଙ୍କ ରାୟ ଓ ପରବର୍ତ୍ତୀ ଆଇନଗତ ପଦକ୍ଷେପ କଣ ହେବ, ତାହା ଉପରେ ଏବେ ନର୍ଲା ରାଜନୈତିକ ମହଲର ନଜର ରହିଛି।