କଳାହାଣ୍ଡି ମହିଳା କ୍ରିକେଟ୍ ଦଳର ସାନଭି ପ୍ରଜ୍ଞା,ବାରବାଟୀ ଦେଖାଇବେ କାମାଲ !!
ଭବାନୀପାଟଣା: ଗ୍ରାମାଞ୍ଚଳରୁ ବାହାରି କ୍ରିକେଟ୍ ପଡ଼ିଆରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପରାମାଲ ଗ୍ରାମର ଉଦୀୟମାନ ମହିଳା କ୍ରିକେଟର୍ ସାନଭି ପ୍ରଜ୍ଞା ରାଉତ। ମୋହିତ ରାଉତ ଓ ରଶ୍ମିରେଖା ରାଉତଙ୍କ ସୁପୁତ୍ରୀ ସାନଭିଙ୍କୁ ୧୫ ବର୍ଷରୁ କମ୍ କଳାହାଣ୍ଡି ଜିଲ୍ଲା ମହିଳା କ୍ରିକେଟ୍ ଦଳରେ ଚୟନ କରାଯାଇଛି।ମହିଳା କ୍ରିକେଟ୍ ଚୟନ କମିଟି ପକ୍ଷରୁ ସାନଭିଙ୍କ କ୍ରୀଡ଼ା ପ୍ରତିଭାକୁ ସ୍ୱୀକୃତି ଦେଇ ଏହି ବଡ଼ ସୁଯୋଗ ପ୍ରଦାନ କରାଯାଇଛି। ଆସନ୍ତା ୨୨ ଅଗଷ୍ଟ ୨୦୨୬ ଠାରୁ କଟକରେ ଅନୁଷ୍ଠିତ ହେବାକୁ ଥିବା ୧୫ ବର୍ଷରୁ କମ୍ ମହିଳା କ୍ରିକେଟ୍ ମ୍ୟାଚ୍ରେ ସାନଭି କଳାହାଣ୍ଡି ଜିଲ୍ଲା ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ। ଏହି ପ୍ରତିଯୋଗିତା ପାଇଁ ସାନଭିଙ୍କୁ ୨୧ ଅଗଷ୍ଟରେ କଟକ ଯିବାକୁ କୁହାଯାଇଥିବା ବେଳେ ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ତାଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାନଭିଙ୍କ ଏହି ସଫଳତା ପରେ ଖପରାମାଲ ଗ୍ରାମ ସମେତ ସମଗ୍ର କୋକସରା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ପରିବାରବର୍ଗ, କୋଚ୍, ବନ୍ଧୁପରିଜନ ଓ ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ସାନଭିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସାନଭିଙ୍କ ଏହି ସଫଳତା ଗ୍ରାମାଞ୍ଚଳର ଅନ୍ୟ ଯୁବ ପ୍ରତିଭା, ବିଶେଷକରି ଝିଅମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଲୋଚନା ହେଉଛି।
କଳାହାଣ୍ଡି/ଖୋଲାମଞ୍ଚ ପ୍ରଜାତନ୍ତ୍ର (କବିରାଜ ଦୁର୍ଗା)