କେନ୍ଦ୍ର ସରକାରଙ୍କ ଅନନ୍ୟ ଉପଲବ୍ଧି ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗେଇଲୁଣ୍ଡା ବ୍ଳକର ଭାବିନିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଞ୍ଚଳବାସୀ, ଅଙ୍ଗନବାଡି କର୍ମୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ମା’ ମାନଙ୍କ ସମାବେଶ ଏବଂ ପ୍ରତ୍ୟକ୍ଷ ଅଂଶଗ୍ରହଣ ସହ ଜାତୀୟ ପ୍ରସଙ୍ଗ ସଂପର୍କିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ସ୍ଵାଧୀନତାର ଶତବାର୍ଷିକୀ ପାଳନ ଅବସରରେ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲର ରୋଡ଼ ମ୍ୟାପ୍ ସଂପର୍କରେ ତୃଣମୂଳ ସ୍ତରରେ ଏହା ସଚେତନତା ସୃଷ୍ଟି କରିବ l ୨୧ରୁ ୨୩ ତାରିଖ ତିନି ଦିନ ବ୍ୟାପି ପ୍ରସଙ୍ଗ ଭିତ୍ତିକ ଅର୍ଥପୂର୍ଣ୍ଣ ଆଲୋଚନା, ଆଞ୍ଚଳିକ ନେତୃତ୍ୱ ସୃଷ୍ଟି କରିବାରେ, ଯୋଜନା ପ୍ରଣୟନ ଏବଂ ରୂପାୟନ କ୍ଷେତ୍ରରେ ନାଗରିକ ଅଂଶୀଦାରୀ ସୁନିଶ୍ଚିତ କରିବାରେ ତଥା ନୀତିଗତ ନିଷ୍ପତ୍ତି ନେବାର କ୍ଷମତା ଆଣିବାରେ, ସର୍ବୋପରି ପ୍ରମୁଖ ଜାତୀୟ ପ୍ରସଙ୍ଗ ଉପରେ ସଚେତନ ରହିବାରେ ବିଶେଷ ସହାୟକ ହୋଇପାରିବ l ଘରେ ଘରେ ତ୍ରିରଙ୍ଗା ଦ୍ୱାରା ଦେଶପ୍ରେମର ଭାବନା ଉଜ୍ଜୀବିତ ହେବା ସହ ବିଭାଜନର ବିଭୀଷିକା, ଅତୀତର କଳା ଇତିହାସ ସ୍ମରଣ କରାଇ, ଭବିଷ୍ୟତକୁ ସଜାଗ ରଖିବ l ସମ୍ମିଳନୀରେ ମନ୍ତ୍ରୀ, ବିଧାୟକଙ୍କ ସମେତ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ପ୍ରଥମ ଦିବସରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଆନୁଷ୍ଠାନିକ ଭାବେ ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା l ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର, ଗଞ୍ଜାମ ହିମାଞ୍ଚଳ ସାହୁ, ଇଣ୍ଡିଆ ପୋଷ୍ଟର ବ୍ରହ୍ମପୁର ପୋଷ୍ଟାଲ୍ ଇନ୍ସପେକ୍ଟର କିରଣ ପ୍ରସାଦ ପାତ୍ରଙ୍କ ସହ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କେନ୍ଦ୍ରୀୟ ସଂଚାର ବ୍ୟୁରୋ ଏବଂ ଗଣମାଧ୍ୟମ ସୂଚନା ବ୍ୟୁରୋର ପୂର୍ବ ଜୋନ୍ ଡି.ଜି. ଟି.ଭି.କେ.ରେଡ୍ଡୀ ଉଦ୍ବୋଧନ ଦେଇଥିଲେ l