୫ ବର୍ଷ ହେଲା ଅନ୍ଧାରରେ ୫୩ ଆଦିବାସୀ ପରିବାର: କର୍କାମସ୍କା ଗାଁ, ଲାଞ୍ଜିଗଡ଼ ||
କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଗାଁ, ନାମ କର୍କାମସ୍କା | ଉକ୍ତ ଗାଁ ଟି ଆଜିର GenZ ପ୍ରାଧାନ୍ଯ ଯୁଗରେ, ମୌଳିକ ସୁବିଧା ଠାରୁ ସାତ କୋଷ ଦୂରରେ। ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା, ଯାତାୟାତ ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମ ପଞ୍ଚାୟତର କର୍କାମସ୍କା ଗ୍ରାମବାସୀ।
ସୂଚନା ଅନୁଯାୟୀ, କର୍କାମସ୍କା ଗ୍ରାମରେ ପ୍ରାୟ ୫୩ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ଅଧିକାଂଶ ପରିବାର କୃଷିକାର୍ଯ୍ୟ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ହେଲେ ବର୍ଷ ବର୍ଷ ଧରି ମୌଳିକ ସୁବିଧାର ଅଭାବ ସେମାନଙ୍କ ଜୀବନଯାତ୍ରାକୁ ଦୁର୍ବିସହ କରିଛି।
୫ ବର୍ଷ ହେଲା ଅନ୍ଧାରରେ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୬ ବର୍ଷ ତଳେ ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ତେବେ କଷ୍ଟମଷ୍ଟେ ପ୍ରାୟ ଗୋଟିଏ ବର୍ଷ ବିଦ୍ୟୁତ୍ ଆଲୁଅ ଦେଖିବା ପରେ ଏହା ଅଚଳ ହୋଇଯାଇଥିଲା। ଗତ ପ୍ରାୟ ୫ ବର୍ଷ ଧରି ଗାଁରେ ବିଦ୍ୟୁତ୍ ଯୋଗାଣ ନଥିବାରୁ ଗ୍ରାମବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି।
ନିୟମିତ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦୁଇଥର ଏବଂ ନର୍ଲା ଉପଖଣ୍ଡ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ତିନିଥର ଲିଖିତ ଦରଖାସ୍ତ ଦେଇଥିବା ସତ୍ତ୍ୱେ ଏଯାଏ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।
ଗୋଳିଆ ପାଣି ଭରସା ଗାଁରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ। ସୌରଚାଳିତ ପମ୍ପ ମାଧ୍ୟମରେ ପାଣି ଯୋଗାଣର ବ୍ୟବସ୍ଥା ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପାଣି ମିଳୁନାହିଁ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ନଳକୂଅରୁ ବାହାରୁଥିବା ଗୋଳିଆ ପାଣି ବ୍ୟବହାର କରୁଛନ୍ତି। ଏହା ଯୋଗୁଁ ବିଭିନ୍ନ ସମୟରେ ଲୋକେ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି।
ରାସ୍ତା ଅଛି, ଯାତାୟାତ ଅଚଳଗାଁକୁ ପକ୍କା ରାସ୍ତା ରହିଥିଲେ ମଧ୍ୟ ଏହା ବର୍ତ୍ତମାନ ଯାତାୟାତ ଉପଯୋଗୀ ଅବସ୍ଥାରେ ନଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଗାଁକୁ ଗାଡ଼ିମୋଟର ଯାତାୟାତରେ ଅସୁବିଧା ହେଉଛି। ବିଶେଷକରି ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ସମୟରେ ଲୋକଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡ଼ୁଛି।
ବିଦ୍ୟାଳୟ ଅଭାବରୁ ପ୍ରଭାବିତ ଶିକ୍ଷା ଗାଁରେ ବିଦ୍ୟାଳୟ ନଥିବାରୁ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୪ରୁ ୫ କିଲୋମିଟର ଦୂରରେ ଥିବା ତେନ୍ତୁଲିପୁଙ୍ଗା, ବାଲିସରା, ବନ୍ଧପାରି ଓ ସିନ୍ଧିପଦର ଭଳି ଗାଁକୁ ପାଠପଢ଼ିବା ପାଇଁ ଯିବାକୁ ପଡ଼ୁଛି। ଦୂରତା ଓ ଯାତାୟାତ ସମସ୍ୟା ଯୋଗୁଁ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ଦୂର ବିଦ୍ୟାଳୟକୁ ପଠାଇବାକୁ ଆଗ୍ରହୀ ନୁହନ୍ତି। ଫଳରେ କେତେକ ପିଲାଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଯାଉଥିବା ଅଭିଯୋଗ ହୋଇଛି। ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ଅଧିକାରୀ ଗାଁ ପରିଦର୍ଶନ କରିଥିଲେ ଏବଂ ପିଲାମାନଙ୍କୁ ‘ମଧୁ ବର୍ଣ୍ଣବୋଧ’ ବହି ବଣ୍ଟନ କରିଥିଲେ। ହେଲେ ବିଦ୍ୟାଳୟ ସ୍ଥାପନ ଦିଗରେ ଏଯାଏ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିଲେ ମଧ୍ୟ ସେଠାକୁ ଯିବା ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ଛୋଟ ପିଲାମାନଙ୍କୁ ମଧ୍ୟ ଅସୁବିଧା ହେଉଛି। କର୍କାମସ୍କା ଗ୍ରାମର ଏହି ଦୁର୍ଦ୍ଦଶା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ସହ ପାନୀୟ ଜଳ, ରାସ୍ତା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଖବର ପ୍ରସାରଣ ପରେ ପ୍ରଶାସନ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛି, ତାହା ଏବେ ଦେଖିବାକୁ ବାକି ରହିଲା।
ରିପୋର୍ଟ:-କବିରାଜ ଦୁର୍ଗା (କଳାହାଣ୍ଡି,ଖୋଲାମଞ୍ଚ ପ୍ରଜାତନ୍ତ୍ର)